ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସ୍ୱତନ୍ତ୍ର ପୁରସ୍କାର

ଭୁବନେଶ୍ୱର: ସୁଭଦ୍ରା ପାଇଁ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ପୁରସ୍କାର । ଅଙ୍ଗନବାଡି କର୍ମୀଙ୍କୁ ମିଳିବ ୧୫୦୦ ଟଙ୍କା ଏବଂ ସହାୟିକାଙ୍କୁ ୫୦୦ ଟଙ୍କାର ପୁରସ୍କାର ମିଳିବ । ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେହିପରି ଆଜି ସୁଭଦ୍ରା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି । ୨ ଲକ୍ଷ ୩୦ ହଜାରରୁ ଅଧିକ ନୂଆ ହିତାଧିକାରୀଙ୍କୁ ସହାୟତା ମିଳିଛି । ୧୧୫ କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସେହିପରି ସୁଭଦ୍ରା ଯୋଜନାରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଘର ଘର ବୁଲି ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ମାର୍ଚ୍ଚ ୩୧ ତାରିଖରେ ସୁଭଦ୍ରା ଆବେଦନ ପ୍ରକ୍ରିୟାକୁ ବନ୍ଦ ରଖି ସର୍ଭେ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସର୍ଭେ ପରେ ଅବଶିଷ୍ଟ ହିତାଧିକାରୀଙ୍କୁ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ଏକ ସଙ୍ଗେ ୩ଟି କିସ୍ତି ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।