୨ୟ ଟେଷ୍ଟ: ପୁଣି ଥରେ ଭାରତ ୧୫୬ରେ ଅଲଆଉଟ
ନୂଆଦିଲ୍ଲୀ: ଘରୋଇ ମାଟିରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ପୁଣେରେ ଚାଲିଥିବା ୨ୟ ଟେଷ୍ଟରେ ଭାରତ ପୁଣି ଥରେ ଖରାପ ପ୍ରଦର୍ଶନ କରିଛି । ପ୍ରଥମ ଇନିଂସରେ ଭାରତ ମାତ୍ର ୧୫୬ ରନ କରି ଅଲଆଉଟ୍ ହୋଇଯାଇଛି । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଡେଭନ କନଓ୍ବେ(୭୬) ଏବଂ ରଚିନ ରବୀନ୍ଦ୍ର(୬୫)ଙ୍କ ଅର୍ଦ୍ଧଶତକ ବଳରେ ୨୫୯ ରନ ସଂଗ୍ରହ କରିଥିଲା । ଭାରତୀୟ ବୋଲର ଓ୍ବାଶିଂଟନ ସୁନ୍ଦର ଏବଂ ରବିଚନ୍ଦ୍ରନ ଅଶ୍ଵିନ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସୁନ୍ଦର ୭ଟି ଏବଂ ଅଶ୍ଵିନ ୩ଟି ଉଇକେଟ ନେଇ ନ୍ୟୁଜିଲାଣ୍ଡକୁ ଏକ ବଡ଼ ସ୍କୋର କରିବାରୁ ଅଟକାଇଥିଲେ । ଜବାବରେ ଭାରତ ପ୍ରଥମ ପାଳିରେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।
ରୋହିତ ଶର୍ମା(୦), ବିରାଟ କୋହଲି(୧), ରୁଷଭ ପନ୍ତ(୧୮) ଏବଂ ସର୍ଫରାଜ ଖାନ (୧୧) ନ୍ୟୁଜିଲାଣ୍ଡ ବୋଲରଙ୍କୁ ସାମ୍ନା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଜୟସଓ୍ବାଲ ୩୦ ଏବଂ ଶୁଭମନ ଗିଲ ୩୦ ଏବଂ ରବୀନ୍ଦ୍ର ଜାଡେଜା ୩୮ ରନ କରିଥିଲେ। ନ୍ୟୁଜିଲାଣ୍ଡ ବୋଲର ମିଶେଲ ସାଣ୍ଟନର ସର୍ବାଧିକ ୭ ଉଇକେଟ ନେଇ ଭାରତୀୟ ଦଳକୁ ବ୍ୟାକ୍ଫୁଟକୁ ଠେଲି ଦେଇଥିଲେ । ସୂଚନା ମୁତାବକ, ଅଧିନାୟକ ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଶୁବମନ ଗିଲ୍ ୧୦ ରନ ଓ ଯଶସ୍ୱୀ ଜୈସ୍ୱାଲ ୬ ରନ କରି ଅପରାଜିତ ରହିଥିଲେ ।
ଏହାପରେ ଦ୍ୱିତୀୟ ଦିନ ଖେଳ ଆରମ୍ଭରୁ ଘରୋଇ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଗିଲ୍ ଓ ଜୈସ୍ୱାଲ ୩୦ ରନ ଲେଖାଏଁ କରି ଆଉଟ ହୋଇଥିଲେ। ଏହାପରେ ବିରାଟ କୋହଲି ମଧ୍ୟ ମାତ୍ର ୧ ରନ କରି ପାଭିଲିଅନ ଫେରିଥିଲେ । ଜାଡେଜାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ୨୦ ରନ ବି କରିବାକୁ ସମର୍ଥ ହୋଇନଥିଲେ। ସେ ମଧ୍ୟ ସତର୍କତାର ସହ ପାଳିକୁ ଆଗେଇ ନେଉ ଥିବାବେଳେ ମିଚେଲ ସାଣ୍ଟେନରଙ୍କ ଶିକାର ହୋଇଥିଲେ। ଜାଡେଜା ୪୬ ବଲରେ ୩୮ ରନ୍ କରିଥିଲେ। ଫଳରେ ୧୦୩ ରନ ଲିଡ୍ ନେଇ ଦ୍ୱିତୀୟ ପାଳି ବ୍ୟାଟିଂ ଆରମ୍ଭ କରିଛି ନ୍ୟୁଜିଲ୍ୟାଣ୍ଡ।