
ଭୁବନେଶ୍ୱର ,ସାରା ବିଶ୍ବରେ ବଦନାମ୍ ହେଲା ବାରବାଟୀ । ୨୦୨୫ ଭାରତ-ଇଂଲଣ୍ଡ ଦିନିକିଆ। ଅଧଘଣ୍ଟା ଧରି ଲିଭିଗଲା ଫ୍ଲଡଲାଇଟ୍। ଦୁଇ ଦୁଇଟି ଘଟଣାରେ, ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ବାରବାଟୀ ଷ୍ଟାଡିୟମରେ, ଆସନ୍ତା ଡିସେମ୍ବର ୯ରେ ପୁଣିଥରେ, ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା T-20 ଟକ୍କର। ହେଲେ ଏଥର ଯେଭଳି କୌଣସି ବିଭ୍ରାଟ ନହୁଏ ସେଥିପ୍ରତି ଗୁରୁତ୍ବ ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମ୍ୟାଚକୁ ତ୍ରୁଟିଶୂନ୍ୟ କରିବାକୁ ଓଡ଼ିଶା କ୍ରିକେଟ ଆସୋସିଏସନ୍ ଓ ରାଜ୍ୟ ପ୍ରଶାସନକୁ ଦେଇଛନ୍ତି କଡ଼ା ନିର୍ଦ୍ଦେଶ। ଲୋକସେବା ଭବନରେ ଆୟୋଜିତ ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମ୍ୟାଚ୍ ଉପରେ ସାରା ବିଶ୍ବର ନଜର ରହିଛି। ଏଣୁ ଭିଡ ନିୟନ୍ତ୍ରଣଠୁ ଆରମ୍ଭ କରି ଟିକେଟ୍ ବିକ୍ରି, ଜରୁରୀ ଚିକିତ୍ସା ବ୍ୟବସ୍ଥା ଉପଯୁକ୍ତ ଭାବେ ତଦାରଖ କରାଯାଉ। ମ୍ୟାଚ୍ ତୃଟିଶୂନ୍ୟ ହେଲେ ଓଡ଼ିଶାର ମର୍ଯ୍ୟାଦା ସୁରକ୍ଷିତ ହେବ। ଦିଲ୍ଲୀ ବିସ୍ଫୋରଣ ପରିପ୍ରେକ୍ଷୀରେ ଲୋକଙ୍କ ସୁରକ୍ଷା ପ୍ରତି ଏକ ଫୁଲ୍-ପ୍ରୁଫ୍ ବ୍ୟବସ୍ଥା କରାଯିବା ଆବଶ୍ୟକ। ସେପଟେ ଗତଥର ଫ୍ଲଡଲାଇଟ୍ ଲିଭିଯିବା ଘଟଣା ପରେ ଅଧିକ ସଜାଗ ହୋଇଛି ଓସିଏ।
ଗତ ଫେବୃଆରୀ ୯ରେ କ୍ରୀଡ଼ା ଜଗତରେ ଓଡ଼ିଶାକୁ ଲଜ୍ଜିତ କରିଥିଲା ବାରବାଟୀ ମହାବିଭ୍ରାଟ। ଭାରତ-ଇଂଲଣ୍ଡ ଦିନିକିଆ ବେଳେ ପ୍ରାୟ ଅଧଘଣ୍ଟା ଧରି କଟିଯାଇଥିଲା ଫ୍ଲଡଲାଇଟ୍। ବନ୍ଦ ହୋଇଥିଲା ଖେଳ, ବିରକ୍ତି ପ୍ରକାଶ କରିଥିଲେ ଖେଳାଳି। ବିଶ୍ବରେ ବଦନାମ ହୋଇଥିିଲା ଓଡ଼ିଶା।




