
ଭୁବନେଶ୍ୱର,ଆମ ସମସ୍ତଙ୍କର ମୁଖ୍ୟ ଲକ୍ଷ୍ୟ କିପରି ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିବା, ମାତ୍ର ଏଥିପାଇଁ ସମ୍ବଳର ଆବଶ୍ୟକତା ଅଛି। ଅବଶ୍ୟ ସବୁ ରାଷ୍ଟ୍ର/ରାଜ୍ୟ ପାଇଁ ସବୁ ସମୟରେ ସମ୍ବଳ ଅଭାବ ଏକ ସାଧାରଣ ଘଟଣା। ସେହି ସୀମିତ ସମ୍ବଳକୁ ବିନିଯୋଗ କରି ବିକାଶକୁ ତ୍ୱରାନ୍ୱିତ କରିବା ପଦ୍ଧତି ଏକ ଦୂରଦୃଷ୍ଟି ସମ୍ପନ୍ନ ବଳିଷ୍ଠ ନେତୃତ୍ବ ପାଖରେ ଉପଲବ୍ଧ ଥାଏ। ଅର୍ଥନୀତି ସିଦ୍ଧାନ୍ତ ଅନୁସାରେ ପୁଞ୍ଜିନିବେଶ ସେଠାରେ କରିବା କଥା ଯେଉଁଠାରୁ ନୂତନ ନିଯୁକ୍ତି ଓ ଦ୍ରବ୍ୟ ସୃଷ୍ଟି ହେବ।ଆସନ୍ତୁ ‘ସୁଭଦ୍ରା’ ଯୋଜନାକୁ ବିଶ୍ଳେଷଣ କରିବା। ତଥ୍ୟ ଅନୁସାରେ ଏକ କୋଟି ଲୋକଙ୍କୁ ବାର୍ଷିକ ଟଙ୍କା ୧୦, ୦୦୦ ଲେଖାଏଁ ୫ ବର୍ଷକୁ ଆମେ ମୋଟ ୫୦, ୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଆମ ପାଖରେ ପ୍ରଚୁର ଟଙ୍କା ନ ଥିବାରୁ ଆମକୁ ଋଣ ମଧ୍ୟ କରିବାକୁ ପଡ଼ିବ। ଏହି ୫୦,୦୦୦ କୋଟି ଟଙ୍କାରେ ଆମେ ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିପାରିବା; ମାତ୍ର ଯେଉଁ ହିସାବରେ ଆମେ ଟଙ୍କା ବାଣ୍ଟୁଛନ୍ତି ବା ବିନିଯୋଗ କରୁଛନ୍ତି ସେଥିରେ ଆଶାନୁରୂପ ବିକାଶ ସମ୍ଭବ ନୁହେଁ। କାରଣ ପ୍ରତ୍ୟେକ ମହିଳା ବର୍ଷକୁ ଦୁଇଟି କିସ୍ତିରେ, ଦଶ ହଜାର ଟଙ୍କା ପାଉଛନ୍ତି। ସେହି ଟଙ୍କାରେ କିଏ ମୋବାଇଲ କିଣିଲାଣି ତ କିଏ ଘର ଆସବାବପତ୍ର କିଣିଲାଣି ତ କିଏ ଲୁଗାପଟା ତ କିଏ ଔଷଧପତ୍ର ଓ ଆଉ କିଏ ସୌନ୍ଦର୍ଯ୍ୟ ସାମଗ୍ରୀ। ଅବଶ୍ୟ କିଛି ମହିଳା ସେହି ଟଙ୍କାରେ କୁକୁଡ଼ା, ଛେଳି, ମେଣ୍ଢା, ଗାଈ ପାଳନ କରି ଧନୀ ହେବାର ଖବର ଆସେ। ବର୍ଷକୁ ଦଶ ହଜାର ଟଙ୍କାରେ ବହୁତ କିଛି କରିବା ସମ୍ଭବ ନୁହେଁ, ବର୍ତ୍ତମାନର ବଜାର ଦରଦାମକୁ ଦେଖିଲେ।




