ଫ୍ରି ଟ୍ରେଡ ଇଣ୍ଡଷ୍ଟ୍ରିଆଲ୍ ଜୋନ ଉପରେ ପ୍ରବଳ ବୋମାମାଡ

ଭୁବନେଶ୍ୱର ,ରବିବାର ରାତିରେ ଇରାନର ଚାବାହାର ବନ୍ଦର କମ୍ପ୍ଲେକ୍ସ ନିକଟରେ ଥିବା ଫ୍ରି ଟ୍ରେଡ ଇଣ୍ଡଷ୍ଟ୍ରିଆଲ୍ ଜୋନ ଉପରେ, ପ୍ରବଳ ବୋମାମାଡ କରିଥିବା ଜଣାପଡିଛି। ୧୯୯୨ରେ ପାକିସ୍ତାନ ସୀମା ସଂଲଗ୍ନ ଇରାନର ସିସ୍ତାନ ଓ ବାଲୁଚେସ୍ତାନ ପ୍ରଦେଶ ମଧ୍ୟବର୍ତ୍ତୀ ସ୍ଥାନରେ ଏହି ଟ୍ରେଡ ଜୋନ ସ୍ଥାପନ କରାଯାଇଥିଲା। ସେଣ୍ଟ୍ରାଲ ଏସିଆ ଓ ଭାରତ ମହାସାଗର ମଧ୍ୟରେ ଶୁଳ୍କ ବିହୀନ ବାଣିଜ୍ୟିକ କାରବାର ପାଇଁ ଏହି ଜୋନ୍କୁ ବ୍ୟବହାର କରାଯାଉଛି। ପୁନଶ୍ଚ ହର୍ମୁଜ ପ୍ରଣାଳୀକୁ ବାଦଦେଇ ଇରାନ ଏହି ପଥରେ, ଭାରତ ମହାସାଗର ପର୍ଯ୍ୟନ୍ତ ଯୋଗାଯୋଗ କରିପାରୁଥିଲା। ତେବେ ଏହି ଆକ୍ରମଣରେ ଘଟିଥିବା କ୍ଷୟକ୍ଷତି ସମ୍ପର୍କରେ, ବିଶେଷ ସୂଚନା ମିଳିପାରିନାହିଁ। ଏହି ବନ୍ଦର ଦେଇ ଭାରତ ସହଜରେ ଆଫ୍ଗାନିସ୍ତାନ, ସେଣ୍ଟ୍ରାଲ ଏସିଆ ଏବଂ ୟୁରୋପ ସହ ଜଳପଥରେ ଯୋଗସୂତ୍ର ରକ୍ଷା କରିପାରୁଛି। ଉକ୍ତ ଜୋନ୍ରେ ୨୦ ବର୍ଷ ପର୍ଯ୍ୟନ୍ତ ଟିକସ ଛାଡ, ବିଦେଶୀ ମୁଦ୍ରା ବିନିମୟ ଏବଂ ବିଦେଶୀ ପୁଞ୍ଜି ବିନିଯୋଗ ସୁବିଧା ମିଳିଥାଏ। ଭାରତ ପକ୍ଷରୁ କୋଟି କୋଟି ଟଙ୍କା ବିନିଯୋଗ କରାଯାଇ ଏହି ଟ୍ରେଡ ଜୋନ୍ରେ ଏକାଧିକ କାରଖାନା ସ୍ଥାପନ କରାଯାଇଛି।




