ମନୋରଞ୍ଜନ

ବଧୂ ସାଜିବେ ଶ୍ରଦ୍ଧା

ମୁମ୍ବାଇ, ୧୯ ମାର୍ଚ୍ଚ ୨୦୨୬: ବଲିଉଡର ଚୁଲବୁଲି ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ବିବାହକୁ ନେଇ ଏବେ ଚଳଚ୍ଚିତ୍ର ଜଗତରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଦୀର୍ଘ ଦିନ ଧରି ଶ୍ରଦ୍ଧାଙ୍କ ନାମ ଜଣାଶୁଣା ଲେଖକ ରାହୁଲ ମୋଦିଙ୍କ ସହ ଯୋଡ଼ା ଯାଉଥିବା ବେଳେ ଏବେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ଖବର ସାମ୍ନାକୁ ଆସିଛି। ଶ୍ରଦ୍ଧାଙ୍କୁ ବଧୂ ବେଶରେ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଥିବା ବେଳେ ଏହି ଚର୍ଚ୍ଚା ଉପରେ ଏବେ ଶ୍ରଦ୍ଧାଙ୍କ ମାଉସୀ ତଥା ଅଭିନେତ୍ରୀ ତେଜସ୍ୱିନୀ କୋଲାପୁରୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏକ ସାକ୍ଷାତକାରରେ ସେ ଶ୍ରଦ୍ଧାଙ୍କ ବିବାହ ଯୋଜନାକୁ ନେଇ ନୀରବତା ଭାଙ୍ଗିବା ପରେ ଏହି ଖବରକୁ ଏବେ ଅଧିକ ଖୋରାକ ମିଳିଛି।

୩୯ ବର୍ଷ ବୟସରେ ପାଦ ଦେଇଥିବା ଶ୍ରଦ୍ଧା କପୁର ନିଜର ବ୍ୟକ୍ତିଗତ ଜୀବନକୁ ସବୁବେଳେ ଗଣମାଧ୍ୟମଠାରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତି। ମାତ୍ର ରାହୁଲ ମୋଦିଙ୍କ ସହ ବିଭିନ୍ନ ସ୍ଥାନରେ ତାଙ୍କୁ ଦେଖିବାକୁ ମିଳିବା ପରେ ସେମାନଙ୍କ ସମ୍ପର୍କକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଏବେ ଉଭୟଙ୍କ ପରିବାର ମଧ୍ୟରେ ଏହି ବିବାହକୁ ନେଇ ସହମତି ପ୍ରକାଶ ପାଇଥିବା କୁହାଯାଉଛି। ଯଦିଓ ଶ୍ରଦ୍ଧା କିମ୍ବା ରାହୁଲଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ, ତଥାପି ଶ୍ରଦ୍ଧାଙ୍କ ମାଉସୀଙ୍କ ସଙ୍କେତପୂର୍ଣ୍ଣ ମନ୍ତବ୍ୟ ପରେ ବଲିଉଡରେ ଏକ ବଡ଼ ଶାହାନାଇ ବାଜିବା ନେଇ ସମସ୍ତେ ନିଶ୍ଚିତ ହୋଇପଡ଼ିଛନ୍ତି।

ରାହୁଲ ମୋଦି ଜଣେ ସଫଳ ଲେଖକ ଭାବେ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଏହି ହାଇ-ପ୍ରୋଫାଇଲ୍ ବିବାହରେ ବଲିଉଡର ଅନେକ ନାମୀଦାମୀ କଳାକାର ସାମିଲ ହେବାର ସମ୍ଭାବନା ରହିଛି। ଶ୍ରଦ୍ଧା କେବେ ଏବଂ କେଉଁଠି ବିବାହ କରିବେ, ତାହା ଜାଣିବା ପାଇଁ ଏବେ ଫ୍ୟାନ୍ସମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି।

Related Articles

Back to top button