ଚନ୍ଦନ ଯାତ୍ରାରେ ଫୁଟିବନି ବାଣ

ପୁରୀ : ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହେବ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା । ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା। ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି । ତେବେ ଚନ୍ଦନ ଯାତ୍ରା ସମୟରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିଛି ପୁରୀ ପୋଲିସ । ଚନ୍ଦନ ଯାତ୍ରା ଲାଗି ପୁରୀ ପୋଲିସ ପକ୍ଷରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୫୮ ହୋମଗାର୍ଡ, ୩୭ କନେଷ୍ଟବଳ, ୪ ହାବିଲଦାର, ୨୦ ଏଏସଆଇ, ୮ଜଣ ଇନ୍ସପେକ୍ଟର, ୫ଜଣ ଡିଏସପି ଏବଂ ଜଣେ ଅତିରିକ୍ତ ଏସପି ସୁରକ୍ଷା ଦାୟିତ୍ୱରେ ରହିବେ ।
ଶ୍ରୀମନ୍ଦିରରୁ ଠାକୁରମାନେ ବାହାରିଵା ସମୟରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ରହିବ। ଆସନ୍ତା ୩୦ ତାରିଖରେ ଅକ୍ଷୟ ତୃତୀୟା । ଏଥିପାଇଁ ପୁରୀ ଏସପି ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି । ଗତବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟି ଏକାଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ତେଣୁ ସୁରକ୍ଷା ଦୃଷ୍ଟିରୁ ବାଣ ଫୁଟାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।