ରାସାୟନିକ ପରିବର୍ତ୍ତନର ଫଳାଫଳ।

ଭୁବନେଶ୍ୱର, ଆପଣଙ୍କୁ ଅଜବ ଲାଗୁଥିଲେ ବି ସତ । ସୂର୍ଯ୍ୟଙ୍କ ଉପରେ ବି ହୁଏ ବର୍ଷା ।କିନ୍ତୁ ଏହି ବର୍ଷାରେ ପାଣି ନୁହେଁ ବରଂ ଗରମ ପ୍ଲାଜ୍ମା ପଡିଥାଏ। ଏହାକୁ ‘ସୌର ବର୍ଷା’ କିମ୍ବା ‘କୋରୋନାଲ୍ ବର୍ଷା’ କୁହାଯାଏ।ସୂର୍ଯ୍ୟ ର ବାହ୍ୟ ସ୍ତର ଯାହାକୁ କରୋନା କୁହାଯାଏ ତାହା ଅତ୍ୟନ୍ତ ଗରମ। ଏହାର ତାପମାତ୍ରା ଲକ୍ଷ ଲକ୍ଷ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଥାଏ । କିନ୍ତୁ ଏହି ଗରମ ପ୍ଲାଜମା ମଧ୍ୟରେ ବେଳେ ବେଳେ ଥଣ୍ଡା, ଘନ ଗ୍ୟାସ (ପ୍ଲାଜମା) ଖଣ୍ଡ ସୃଷ୍ଟି ହୁଏ। ଏହି ଖଣ୍ଡଗୁଡ଼ିକ ଉପରକୁ ନୁହେଁ ବରଂ ସୂର୍ଯ୍ୟଙ୍କ ତଳ ଆଡକୁ ପଡିଥାଏ । ଏହି ଘଟଣାଟିକୁ “ସୌରବୃଷ୍ଟି” କୁହାଯାଏ।
ଦୀର୍ଘ ବର୍ଷ ଧରି ବୈଜ୍ଞାନିକମାନେ ସୂର୍ଯ୍ୟର ଏହି ଗରମ ସ୍ତର ମଧ୍ୟରେ ଏତେ ଶୀଘ୍ର ଥଣ୍ଡା ପ୍ଲାଜମା କିପରି ସୃଷ୍ଟି ହୁଏ ସେ ନେଇ ଦ୍ୱନ୍ଦ୍ୱରେ ଥିଲେ । ପୁରୁଣା ମଡେଲ ଅନୁସାରେ, ଥଣ୍ଡା ହେବା ଏବଂ ମେଘ ଗଠନ କରିବା ପ୍ରକ୍ରିୟା ଅନେକ ଘଣ୍ଟା କିମ୍ବା ଦିନ ଲାଗିଥାଏ । କିନ୍ତୁ ସୂର୍ଯ୍ୟରୁ ବାହାରୁଥିବା ରେଡିଏନ୍ସ ଏବଂ ଶକ୍ତିର ବିସ୍ଫୋରଣ କିଛି ମିନିଟ୍ ମଧ୍ୟରେ ଘଟେ। ତେବେ, ଏହି ବର୍ଷା ଏତେ ଶୀଘ୍ର କିପରି ହୁଏ? ଏହି ପ୍ରଶ୍ନ ବୈଜ୍ଞାନିକମାନଙ୍କ ପାଇଁ ଏକ ରହସ୍ୟ ହୋଇ ରହିଥିଲା।
ହାୱାଇ ବିଶ୍ୱବିଦ୍ୟାଳୟର ଆଷ୍ଟ୍ରୋନୋମି ଇନଷ୍ଟିଚ୍ୟୁଟ୍ (IfA) ର ବୈଜ୍ଞାନିକ ଲ୍ୟୁକ୍ ବେନେୱିଟ୍ଜ ଏବଂ ଜେଫ୍ରି ରିପ୍ ଗବେଷଣା କରି ସେମାନେ ଜାଣିପାରିଛନ୍ତି ଯେ, ସୂର୍ଯ୍ୟର ବାହ୍ୟ ସ୍ତରର ମୌଳିକ ପ୍ରାଚୁର୍ଯ୍ୟ ସ୍ଥିର ନୁହେଁ ଏବଂ ବେଳେ ବେଳେ ଏହା ବଦଳେ ।ଲୁହା ଭଳି ଭାରୀ ମୌଳିକ ପଦାର୍ଥର ପରିମାଣରେ ଛୋଟ ପରିବର୍ତ୍ତନ ପ୍ଲାଜମାକୁ ଦ୍ରୁତ ଗତିରେ ଥଣ୍ଡା କରିଥାଏ ଏବଂ ଘନ ବୁନ୍ଦାରେ ପଡ଼ିଥାଏ। ଏହାର ଅର୍ଥ ହେଉଛି ଏହି ସୌର ବର୍ଷା ପ୍ରକୃତରେ ରାସାୟନିକ ପରିବର୍ତ୍ତନର ଫଳାଫଳ।