ଜାତୀୟରାଜନୀତି

ଶରଦ ପାୱାରଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଲେଖି ଚାପୁଡ଼ା ଖାଇଲେ ବିଜେପି ନେତା; ଅଫିସ୍‌ରେ ପଶି ପିିଟିଲେ ଏନ୍‌ସିପି କର୍ମୀ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୀତି ଯେଉଁଭଳି ଭାବେ ହିଂସକ ରୂପ ନେଲାଣି ସେଥିରେ ରାଜନୀତିରେ ମର୍ଯ୍ୟାଦା ଆଉ ନାହିଁ କହିଲେ ଚଳେ। ସରକାରୀ ନେତାଙ୍କୁ ବିରୋଧ କଲେ ସିଧା ଚାପୁଡ଼ା। ଠିକ୍ ଯେମିତି ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଲେଖି ମାଡ଼ ଖାଇଲେ ବିଜେପି ନେତା ବିନାୟକ ଅମ୍ବେକର। ଏନ୍‌ସିପି କର୍ମୀଙ୍କ ଏଭଳି ଦାଦାଗିରିର ଭିଡିଓ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ୍।

ଶ୍ରୀ ପାଟିଲ୍ ଶେୟାର କରିଥିବା ଭିଡିଓରେ ଦେଖାଯାଉଛି ଯେ କିଛି ଏନ୍‌ସିପି କର୍ମୀ ବିଜେପି ନେତା ଆମ୍ବେକରଙ୍କ ସହିତ ତର୍କ କରୁଛନ୍ତି। ତା ଭିତରେ ଧଳା ସାର୍ଟ ପିନ୍ଧିଥିବା ଜଣେ କର୍ମୀ ହଠାତ୍ ଆମ୍ବେକରଙ୍କୁ ଚାପୁଡ଼ା ମାରୁଛନ୍ତି। ଏହି ଘଟଣା ପରେ ଆମ୍ବେକର ଉକ୍ତ କର୍ମୀ ନାଁରେ ପୁନେ ଥାନାରେ ମାମଲା ରୁଜୁ କରିଛନ୍ତି। ତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ପାଇଁ ଏନ୍‌ସିପି ସାଂସଦ ଗିରିସ ବାପତ ଆମ୍ବେକରଙ୍କୁ କ୍ଷମା ମାଗିବାକୁ କହିଥିବା ମଧ୍ୟ ସେ ଅଭିଯୋଗରେ ଦର୍ଶାଇଛନ୍ତି।

ମହାରାଷ୍ଟ୍ର ବିଜେପି ମୁଖ୍ୟ ଶ୍ରୀ ପାଟିଲ୍ ଆକ୍ରମଣ ସମୟର ଭିଡିଓ ଟ୍ୱିଟ୍ କରି ଲେଖିଛନ୍ତି “ମହାରାଷ୍ଟ୍ର ପ୍ରଦେଶ ଭାରତୀୟ ଜନତା ପାର୍ଟି ପ୍ରବକ୍ତା ପିଭିଟି. ବିନାୟକ ଆମ୍ବେକର ଏନ୍‌ସିପି ଗୁଣ୍ଡାମାନେ ଆକ୍ରମଣ କରିଛନ୍ତି। ମୁଁ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି। ଏହି ଏନ୍‌ସିପି ଗୁଣ୍ଡାମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଦରକାର।”

ଏହା ପୂର୍ବରୁ ଶନିବାର ଶରଦ ପାୱାରଙ୍କ ବିରୋଧରେ ଫେସ୍‌ବୁକ୍‌ରେ ଆପତ୍ତିଜନକ ପୋଷ୍ଟ ଶେୟାର କରି ଗିରଫ ହୋଇଛନ୍ତି ମରାଠୀ ଅଭିନେତ୍ରୀ କେତକୀ ଚିତାଲେ ଏବଂ ଜଣେ ଛାତ୍ର ନିଖିଲ ଭମ୍ରେ। ମେ ୧୮ ତାରିଖ ପର୍ଯ୍ୟନ୍ତ ଦୁଇଜଣ ପୁଲିସ କଷ୍ଟୁଡିରେ ରହିବେ ବୋଲି ସୂଚନା ମିଳିଛି।

ଚିତାଲେ ଯେଉଁ ପୋଷ୍ଟ ଶେୟାର କରିଥିଲେ ସେଥିରେ ଆପଣ ବ୍ରାହ୍ମଣମାନଙ୍କୁ ଘୃଣା କରନ୍ତୁ, ନର୍କ ଆପଣଙ୍କୁ ଅପେକ୍ଷା କରିଛି ଭଳି କିଛି ଆପତ୍ତିଜନକ କଥା ଲେଖା ହୋଇଥିଲା। ଏହି ପୋଷ୍ଟ ଶେୟାର କରିବା ପରେ ତାଙ୍କ ବିରୋଧରେ ୫ଟି ମାମଲା ରୁଜୁ ହୋଇଛି। ମାନହାନୀ ମକଦ୍ଦମା ସହିତ ଜାତୀୟ ମଧ୍ୟରେ ଶତ୍ରୁତା ଉସ୍‌କାଇବା ଲୋକମାନଙ୍କ ମଧ୍ୟରେ ସନ୍ତୁଳନ ଭଙ୍ଗ କରିବା(୧୫୨ଏ) ଲଗାଯାଇଛି।

Related Articles

Back to top button