ଜାତୀୟ

‘ହିଜାବ’ ଆନ୍ଦୋଳନ: ମାରଣାସ୍ତ୍ର ସହ ଆସିଥିବା ଦୁଇ ଜଣଙ୍କୁ ଧରିଲା ପୁଲିସ

ବେଙ୍ଗାଲୁରୁ: କର୍ଣ୍ଣାଟକାର ଉଡୁପି ଜିଲ୍ଲାର ଗୋଟିଏ ସରକାରୀ କଲେଜ ନିକଟରୁ ପୁଲିସ୍ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଏମାନେ ମାରଣାସ୍ତ୍ର ଧରି ଉଡୁପି ସରକାରୀ ପିୟୁ କଲେଜ ନିକଟରେ ବୁଲୁଥିଲେ। ଏଠାରେ କ୍ଲାସରୁମରେ ହିଜାବ ପିନ୍ଧିବା ଅନୁମତି ଦାବିରେ ଆନ୍ଦୋଳନ ଚାଲିଛି। କୌଣସି ମନ୍ଦ ଉଦ୍ଦେଶ୍ୟରେ ଏମାନେ କଲେଜ ନିକଟରେ ବୁଲୁଥିବା ପୁଲିସ୍‌ ସନ୍ଦେହ କରି ଉଭୟଙ୍କୁ ଗିରଫ କରିଛି। ତେବେ ଆନ୍ଦୋଳନ ସହ ଏମାନଙ୍କର କୌଣସି ସମ୍ପର୍କ ନଥିଲା ଓ କେବଳ ହିଂସା ସୃଷ୍ଟି କରିବା ଲକ୍ଷ୍ୟ ନେଇ ସେମାନେ ଆସିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଗିରଫ ଅଭିଯୁକ୍ତ ଦ୍ୱୟଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଛି। ଏବେ ଦୁଇ ଅଭିଯୁକ୍ତଙ୍କ ନାଁରେ ହତ୍ୟା ଉଦ୍ୟମ, ମରଣାସ୍ତ୍ର ବ୍ୟବହାର କରି ଦଙ୍ଗା ସୃଷ୍ଟି କରିବା ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ମାମଲା କରାଯାଇଛି। ଶୁକ୍ରବାର ହିଜାବ ଅଧିକାର ସପକ୍ଷରେ ହେଉଥିବା ଆନ୍ଦୋଳନ ସ୍ଥଳର ଆଖପାଖରେ ଏମାନେ ବୁଲୁଥିଲେ। ଏମାନଙ୍କ ସହ ଆଉ ୩ ଜଣ ମଧ୍ୟ ଥିଲେ। ତେବେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ୩ ଜଣ ଫେରାର ହୋଇଯାଇଛନ୍ତି।

ଉଡୁପି ଅତିରିକ୍ତ ଏସ୍‌ପି ଏସଟି ସିଦ୍ଦଲିଙ୍ଗାପ୍ପା କହିଛନ୍ତି, “ପୂରା ଘଟଣାରେ ୨ ଜଣ ଗିରଫ ହୋଇଥିବା ବେଳେ ୩ ଜଣ ଫେରାର ଅଛନ୍ତି। ଆମେ ସେମାନଙ୍କୁ ଧରିବାକୁ ଚେଷ୍ଟା କରୁଛୁ। ସେମାନଙ୍କ ପାଖରୁ ଛୁରୀ ମିଳିଛି। ସେହିପରି ଗିରଫ ଅଭିଯୁକ୍ତ ଦ୍ୱୟ ସ୍ଥାନୀୟ ଅଞ୍ଚଳର ଲୋକ ନୁହନ୍ତି। ଗାଙ୍ଗୋଲିରୁ ସମସ୍ତେ ଏଠାକୁ ଆସିଥିଲେ। ଗିରଫ ପରେ ୨ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି।”

ମିଳିଥିବା ସୂଚନା ଅନୁଯାୟୀ, ମାରଣାସ୍ତ୍ର ଧରି ୫ ଜଣ ବ୍ୟକ୍ତି ଆନ୍ଦୋଳନ ସ୍ଥଳରେ ବୁଲୁଥିବା ଖବର ମିଳିବା ପରେ ପୁଲିସ୍ ତୁରନ୍ତ ଆକ୍ସନ ମୋଡକୁ ଚାଲି ଆସିଥିଲା। ପୁଲିସର ପଦକ୍ଷେପ ଦେଖି ୩ ଜଣ ସେଠାରୁ ଚାଲି ଯାଇଥିଲେ। ହେଲେ ୪୧ ବର୍ଷୀୟ ରାଜବ ଓ ୩୨ ବର୍ଷୀୟ ଅବଦୁଲ ମଜିଦ ଖସି ପାରି ନଥିଲେ। ସେମାନଙ୍କୁ ପୁଲିସ୍‌ କାବୁ କରି ଯାଞ୍ଚ କରିବା ପରେ ନୂଆ ତଥ୍ୟ ହାସଲ କରିଛି। କୁଣ୍ଡାପୁର ସହରର ଗାଙ୍ଗୋଲି ଗାଁରେ ଉଭୟଙ୍କ ନାଁରେ ଏକାଧିକ ମାମଲା ଥିବା ଜାଣିବାକୁ ପାଇଛି।

ସୂଚନାଯୋଗ୍ୟ, ପ୍ରାୟ ଗୋଟିଏ ସପ୍ତାହ ହେଲାଣି ଜିଲ୍ଲାର କଲେଜ ଶିକ୍ଷାର୍ଥୀମାନେ ହିଜାବ ପିନ୍ଧିବା ଦାବିରେ ଆନ୍ଦୋଳନ କରୁଛନ୍ତି। ଗୋଟିଏ ଗୋଷ୍ଠୀ ହିଜାବ ପିନ୍ଧି କ୍ଲାସ କରିବାକୁ ଦାବି କରୁଥିବା ବେଳେ ଆଉ କିଛି ଶିକ୍ଷାର୍ଥୀ ଏହାକୁ କାଉଣ୍ଟର କରିବା ପାଇଁ ବେକରେ ଗେରୁଆ ରଙ୍ଗର ସ୍କାର୍ପ ପିନ୍ଧି ବିକ୍ଷୋଭ କରୁଛନ୍ତି। ଏହାକୁ ନେଇ ବିବାଦ ଦେଖାଦେଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com