ଜାତୀୟ

ଚିଦାମ୍ବରମ କହିଲେ ଏନଡିଏ ଅର୍ଥ ‘ନୋ ଡାଟା ଆଭେଲେବଲ’

ନୂଆଦିଲ୍ଲୀ() ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବିଜେପି ନେତାମାନେ ସବୁବେଳେ ‘ଟୁକଡେ ଟୁକଡେ ଗ୍ୟାଙ୍ଗ’ ଶବ୍ଦର ବ୍ୟବହାର କରୁଛନ୍ତି। ଗତକାଲି ଲୋକସଭାରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ଟୁକଡେ ଟୁକେଡ ଗ୍ୟାଙ୍ଗ ବୋଲି କହିଥିଲେ। ହେଲେ ଟୁକଡେ ଟୁକଡେ ଗ୍ୟାଙ୍ଗର ସଦସ୍ୟ କେଉଁମାନେ, ତା’ର ତଥ୍ୟ ସରକାରଙ୍କ ପାଖରେ ନାହିଁ।

ଏହାକୁ ନେଇ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରିଛନ୍ତି। କେନ୍ଦ୍ରରେ କ୍ଷମତାରେ ଥିବା ଏନଡିଏର ଅର୍ଥ- ନୋ ଡାଟା ଆଭିଲେବଲ ବା କୌଣସି ତଥ୍ୟ ନଥିବା ସରକାର ବୋଲି ସେ କହିଛନ୍ତି।

ସେ କହିଛନ୍ତି, ସଂସଦରେ ସରକାରଙ୍କୁ ଟୁକଡେ ଟୁକେଡ ଗ୍ୟାଙ୍ଗର ସଦସ୍ୟଙ୍କ ନାଁ ପଚରା ଯାଇଥିଲା। ହେଲେ ମନ୍ତ୍ରୀ କହିଥିଲେ ଯେ ଏ ସଂକ୍ରାନ୍ତରେ କୌଣସି ତଥ୍ୟ ନାହିଁ। ସେମାନଙ୍କ ପାଖରେ ତଥ୍ୟ ନାହିଁ, କିନ୍ତୁ ସେମାନେ ସବୁବେଳେ ଟୁକଡେ ଟୁକଡେ ଗ୍ୟାଙ୍ଗ କଥା କହୁଛନ୍ତି।

ସରକାରଙ୍କ ପାଖରେ ଅକ୍ସିଜେନ ଅଭାବରୁ କେତେ ଜଣ ପ୍ରାଣ ହରାଇଲେ ତା’ର ତଥ୍ୟ ନାହିଁ। କରୋନା ବେଳେ ନଦୀରେ କେତେ ଶବ ଭାସିଲା ତା’ର ତଥ୍ୟ ନାହିଁ। କେତେ ପ୍ରବାସୀ ଶ୍ରମିକ ଲକଡାଉନ ବେଳେ ଚାଲିଚାଲି ଘରକୁ ଫେରିଲେ, ତା’ର ତଥ୍ୟ ବି ସରକାରଙ୍କ ପାଖରେ ନାହିଁ। ଏ କୌଣସି ତଥ୍ୟ ରଖୁ ନଥିବା ସରକାର। ଏନଡିଏର ଅର୍ଥ-ନୋ ଡାଟା ଆଭେଲେବଲ ବୋଲି ଚିଦାମ୍ବରମ କହିଛନ୍ତି।

ସୂଚନାଯୋଗ୍ୟ, ସୋମବାର ଲୋକସଭାରେ ମୋଦି କଂଗ୍ରେସ ଉପରେ ମନଇଚ୍ଛା ବର୍ଷିଥିଲେ। ସେ କହିଥିଲେ, କଂଗ୍ରେସର ବିଭାଜନ ମାନସିକତା। ବ୍ରିଟିଶମାନେ ଚାଲିଗଲେଣି। କିନ୍ତୁ ଏବେ ବି ଡିଭାଇଡ୍‌ ଆଣ୍ଡ ରୁଲ ପଲିସି ରହିଛି। ତେଣୁ କଂଗ୍ରେସ ‘ଟୁକଡେ ଟୁକଡେ ଗ୍ୟାଙ୍ଗ’ର ସଦସ୍ୟ।

Related Articles

Back to top button
WP Twitter Auto Publish Powered By : XYZScripts.com