ଅନ୍ୟାନ୍ୟ

ସତରେ କ’ଣ ବିଶ୍ୱ ଦେଖିବ ବିଧ୍ୱଂସକାରୀ ପରମାଣୁ ଯୁଦ୍ଧ: ଜାଣନ୍ତୁ କେଉଁ ଶକ୍ତିଶାଳୀ ଦେଶ ପାଖରେ ରହିଛି କେତୋଟି ଭୟଙ୍କର ଅସ୍ତ୍ର

ନୂଆଦିଲ୍ଲୀ : ସମଗ୍ର ବିଶ୍ୱ ବର୍ତ୍ତମାନ ୟୁକ୍ରେନ-ରୁଷିଆ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧକୁ ନେଇ ଭୀତତ୍ରସ୍ତ ହୋଇ ରହିଛି । ତେବେ ଏଭଳି ସ୍ଥିତିରେ ରୁଷ୍ ରାଷ୍ଟ୍ରପତି ତାଙ୍କର ନ୍ୟୁକ୍ଲିୟର ଫୋର୍ସଙ୍କୁ ଆଲର୍ଟ ରହିବାକୁ କହିବା, ନିଜ ପରିବାରବର୍ଗଙ୍କୁ ଅଣ୍ଡରଗ୍ରାଉଣ୍ଡକୁ ପଠାଇବା ଏକ ବିରାଟ ପ୍ରଶ୍ନ ସୃଷ୍ଟି କରିଛି । ତେବେ ସତରେ କ’ଣ ପୁଟିର ୟୁକ୍ରେନକୁ ନିଜ ଅକ୍ତିଆରକୁ ଆଣିବା ପାଇଁ ଆଣବିକ ଅସ୍ତ୍ରର ପ୍ରୟୋଗ କରିବେ? ଯିଏ ଯେତେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କଲେ ମଧ୍ୟ ଆତ୍ମରକ୍ଷା ହେଉଛି ପ୍ରତ୍ୟେକ ରାଷ୍ଟ୍ରର ପ୍ରଥମ କର୍ତ୍ତବ୍ୟ । ତେଣୁ କେଉଁ ରାଷ୍ଟ୍ର ପାଖରେ କେତେ ଆଣବିକ ଅସ୍ତ୍ର ରହିଛି ତାହା ଜାଣିବା ନିହାତି ଜରୁରୀ ।
ଆଜକୁ ୭୭ ବର୍ଷ ପୂର୍ବେ ପ୍ରଥମେ ପରମାଣୁ ଅସ୍ତ୍ରର ପ୍ରୟୋଗ କରାଯାଇଥିଲା, ଯାହାର ବିଧ୍ୱଂସକାରୀ ଭୟାବହତା ଆଜି ପର୍ଯ୍ୟନ୍ତ ବିଶ୍ୱବାସୀ ଭୁଲି ପାରିନାହାନ୍ତି । ୧୯୪୫ ମସିହା ଅଗଷ୍ଟ ମାସ ୬ ତାରିଖରେ ଜାପାନର ହିରୋସୀମା ଓ ଅଗଷ୍ଟ ୯ ତାରିଖରେ ନାଗାସାକୀ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ଏହି ଅସ୍ତ୍ର ପକାଇଥିଲା । ତେବେ ନିମିଷକ ମଧ୍ୟରେ ଦୁଇ ସହରର ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିବା ସହ ଶତାଧିକ ଆହତ ହୋଇଥିଲେ । ଏପରିକି ଉକ୍ତ ସ୍ଥାନରେ ଆଜି ପର୍ଯ୍ୟନ୍ତ ଦୁବ, ଘାସ କଅଁଳୁ ନଥିବା ବେଳେ ପଙ୍ଗୁ ହୋଇ ମଣିଷ ଜନ୍ମ ନେଉଥିବା କୁହାଯାଉଛି । କି ଭୟଙ୍କର! ଏହା ମଧ୍ୟରେ ୭୭ ବର୍ଷ ଅତିକ୍ରାନ୍ତ ହୋଇଗଲାଣି । ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ବହୁ ମାତ୍ରାରେ ଆଗକୁ ଯାଇ ସାରିଲାଣି । ଆଜି ଯଦି ପୁଣି ଉକ୍ତ ଅସ୍ତ୍ରର ପ୍ରୟୋଗ ଏଇ ଧରିତ୍ରୀ ଉପରେ ହୁଏ, ଥରେ ଭାବନ୍ତୁ କ’ଣ ହେବ ପରିସ୍ଥିତି?
ତେବେ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ବିଶ୍ୱର ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ରଙ୍କ ପାଖରେ ପାଖାପାଖି ୯ ହଜାରରୁ ଅଧିକ ପରମାଣୁ ହତିଆର ରହିଛି । ଷ୍ଟକହୋମ ଅନ୍ତର୍ଜାତୀୟ ଶାନ୍ତି ଗବେଷଣା ଅନୁଷ୍ଠାନ (ସିପ୍ରି) ପକ୍ଷରୁ ଗତବର୍ଷ କୁହାଯାଇଥିଲା ଯେ, ୨୦୨୦ ସୁଦ୍ଧା ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ରଙ୍କ ପାଖରେ ପ୍ରାୟ ୧୩,୪୦୦ ପରମାଣୁ ଅସ୍ତ୍ର ରହିଥିଲା । ତେବେ ୧୮୦୦ ହତିଆର ହାଇ ଆଲର୍ଟରେ ରହିଥାଏ, ଯାହାକି କମ୍ ସମୟ ମଧ୍ୟରେ ନିକ୍ଷେପ କରାଯାଇଥାଏ ।
ଜଣାପଡ଼ିଛି ଯେ, ରୁଷ ପାଖରେ ସର୍ବାଧିକ ୬୩୭୫ଟି ପରମାଣୁ ଅସ୍ତ୍ର ରହିଛି । ସେହିପରି ଆମେରିକା ପାଖରେ ୫୮୦୦ଟି, ଚୀନ ପାଖରେ ୩୨୦ଟି, ଫ୍ରାନ୍ସ ପାଖରେ ୨୯୦ଟି, ବ୍ରିଟେନ ପାଖରେ ୨୨୫ଟି, ପାକିସ୍ତାନ ପାଖରେ ୧୬୦ଟି, ଭାରତ ପାଖରେ ୧୫୦ଟି, ଇସ୍ରାଏଲ ପାଖରେ ୯୦ଟି ଓ ଉତ୍ତର କୋରିଆ ପାଖରେ ୫୦ଟି ରହିଛି । ତେବେ ଏହା ମଧ୍ୟରେ ପାଖାପାଖି ଦୁଇବର୍ଷ ବିତିଯାଇଥିବା ବେଳେ ଏହି ଅସ୍ତ୍ରର ପରିମାଣ ହୁଏତ ଅଧିକା ହୋଇଥାଇପାରେ । ତେବେ ସେ ଯାହା ବି ହେଉ, ଈଶ୍ୱର କରନ୍ତୁ ଏହି ବିଧ୍ୱଂସକାରୀ ଅସ୍ତ୍ରର ପ୍ରୟୋଗ କେବେ ବି ବିଶ୍ୱ ବକ୍ଷରେ ନ ହେଉ ।

Related Articles

Back to top button
WP Twitter Auto Publish Powered By : XYZScripts.com