ଓଡ଼ିଶା

ସଉଦା କିଣି ଫେରୁଥିବା ବେଳେ ପିଟିଦେଲା ଜେସିବି; ଜାଳିଦେଲେ ଗାଁ ଲୋକ

ଉମରକୋଟ () ସଉଦା କିଣି ଫେରୁଥିବା ବେଳେ ପିଟିଦେଲା ଜେସିବି। ଫଳରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅଞ୍ଚଳରେ ଘଟିଛି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଜେସିବି ଜାଳି ଦେଇଥିବା ଦେଖିବାକୁ ମିଳିଛି।

କୋଷାଗୁମୁଡା ଥାନା ଅନ୍ତର୍ଗତ ବିଏମ୍‌ ସେମଳା ଗାଁର ଦେବେନ୍ଦ୍ର ମାଳି ଜଣେ ବ୍ୟବସାୟୀ। ସେ ଆଜି ବାଗଟିଗୁଡ଼ା ଗାଁରେ ଥିବା ନିଜ ଦୋକାନ ପାଇଁ ସଉଦା କିଣି କୋଷାଗୁମୁଡାରୁ ବାଇକ୍‌ରେ ଫେରୁଥିଲେ। ତେବେ କୋଣ୍ଡାପୁରୀ ରାସ୍ତା ପାର୍ଶ୍ୱ ପୋଖରୀ ନିକଟରେ ରାସ୍ତା କାମରେ ନିୟୋଜିତ ଥିବା ଏକ ଜେସିବି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଦେବେନ୍ଦ୍ର ଛିଟିକି ହୋଇ ରାସ୍ତା ପାର୍ଶ୍ୱରେ ପଡ଼ିଥିଲେ।

ସ୍ଥାନୀୟ ଲୋକେ ଦେବେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋଷାଗୁମୁଡା ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରକାଶ ପାଇବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ଦେବେନ୍ଦ୍ରଙ୍କ ପରିବାର ଓ ଗାଁ ଲୋକେ ଦୁର୍ଘଟଣା ଘଟାଇଥିବା ଜେସିବିରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି। ସେପଟେ କୋଷାଗୁମୁଡା ଥାନା ପୁଲିସ୍‌ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।

Related Articles

Back to top button
WP Twitter Auto Publish Powered By : XYZScripts.com