ଜାତୀୟରାଜନୀତି

‘ଡ୍ରାମା ନ କରି ଏସ୍‌ଆଇଟିରେ ହାଜର ହୋଇଥିଲେ ମୋଦି’ – ଶାହ

୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଦେଇଥିବା କ୍ଲିନ୍‌ଚିଟ୍‌କୁ ଶୁକ୍ରବାର ସୁପ୍ରିମକୋର୍ଟ କାଏମ ରଖିଥିଲେ । ଦିବଂଗତ କଂଗ୍ରେସ ନେତା ଏହସାନ ଜାଫ୍ରିଙ୍କ ପତ୍ନୀ ଜାକିୟା ଜାଫ୍ରି କରିଥିବା ପିଟିସନ୍‌କୁ ଖାରଜ କରିଦେଇଥିଲେ । ୨୦୧୨ରେ ଏସ୍‌ଆଇଟି ଦ୍ୱାରା ଦାଖଲ ରିପୋର୍ଟକୁ ବିରୋଧ କରି ଜାକିୟା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବିଚାରପତି ଏ ଏମ୍‌ ଖାନୱିଲକରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ତାହାକୁ ଖାରଜ କରିଦେଇଛନ୍ତି । ଏହି ପ୍ରସଙ୍ଗରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଏକ ସାକ୍ଷାତକାର ଦେଇଛନ୍ତି । ସେ କଂଗ୍ରେସକୁ ଜୋରଦାର କଟାକ୍ଷ କରି କହିଛନ୍ତି, ଦଙ୍ଗା ମାମଲାରେ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଏସ୍‌ଆଇଟି ସମ୍ମୁଖରେ ହାଜର ହେଉଥିଲେ । ଏହାକୁ ନେଇ କୌଣସି ପ୍ରକାର ଡ୍ରାମା କରୁ ନ ଥିଲେ କିମ୍ବା ଧାରଣା ଦେଉ ନ ଥିଲେ । ଏକ ଗଣତନ୍ତ୍ରରେ ପ୍ରଧାନମନ୍ତ୍ରୀ ଆଦର୍ଶ ଉଦାହରଣ ସୃଷ୍ଟି କରିଥିଲେ ଯେ କିଭଳି ସମ୍ବିଧାନକୁ ସମ୍ମାନ ଦିଆଯାଏ । ମୋଦିଜୀଙ୍କୁ ପଚରାଉଚରା ବେଳେ କେହି ବିକ୍ଷୋଭ କରି ନ ଥିଲେ । କର୍ମକର୍ତ୍ତାମାନେ (ବିଜେପିର) ମୋଦିଜୀଙ୍କ ସମର୍ଥନରେ ଏକାଠି ହୋଇ ନ ଥିଲେ । ଆମେ ଆଇନ ସହିତ ସହଯୋଗ କରିଥିଲୁ । ମୋତେ ବି ଗିରଫ କରାଯାଇଥିଲା । କିନ୍ତୁ ଏଥିପାଇଁ ବିକ୍ଷୋଭ କିମ୍ବା ଧାରଣା ଦିଆଯାଇ ନ ଥିଲା । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ପ୍ରଥମ ଥର ପାଇଁ ଏଭଳି କ୍ଲିନ୍‌ଚିଟ୍‌ ମିଳୁନାହିଁ । ଏହା ପୂର୍ବରୁ ବି ଅନେକ ଥର ମିଳିଛି । ଉଲ୍ଲେଖଯୋଗ୍ୟ, ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୫ ଦିନ ଧରି ଜେରା କରିଥିଲା । ଏହି ସମୟରେ କଂଗ୍ରେସର ବରିଷ୍ଠ ନେତାଙ୍କଠାରୁ କର୍ମକର୍ତ୍ତାଙ୍କ ପର୍ଯ୍ୟନ୍ତ ସମସ୍ତେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶାହ ଏହି ଘଟଣାକୁ ଆଧାର କରି କଂଗ୍ରେସକୁ କଟାକ୍ଷ କରିଥିବା କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com