ଜାତୀୟ

ବିଧାୟକଙ୍କ ପରେ ସାଂସଦଙ୍କ ଉପରେ ସିନ୍ଦେଙ୍କ ଆଖି

ନୂଆଦିଲ୍ଲୀ:  ଭାଗ ଭାଗ ହୋଇଯାଇଛି ଶିବସେନା । ଗୋଟିଏ ପଟେ ଉଦ୍ଧବ ଠାକରେ ଓ ଅନ୍ୟ ଦିଗରେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ । କେହି କାହାରିକୁ ଛାଡିବାକୁ ନାରାଜ । ଉଭୟ ନିଜକୁ ପ୍ରକୃତ ଶିବସୈନିକ ବୋଲି ଦାବି କରୁଛନ୍ତି । କିନ୍ତୁ ସଂଖ୍ୟା ଦୃଷ୍ଟିରୁ ଏକନାଥଙ୍କ ପଲ୍ଲା ଉଦ୍ଧବଙ୍କ ଅପେକ୍ଷା ଭାରି ଅଛି । ଏପଟେ  ମହାରାଷ୍ଟ୍ରରୁ ସଂସଦକୁ ଡେଇଁଲାଣି ଶିବସେନା ରାଜନୀତି । କାରଣ ନିକଟରେ ଦଳ ଲୋକସଭାରେ ଭାବନା ଗଓ୍ୱାଲିଙ୍କ ବଦଳରେ ରାଜନ ଭିଚାରେଙ୍କୁ ସଚେତକ କରିଛି । ଏନେଇ ଦଳର ନେତା ସଞ୍ଜୟ ରାଓ୍ୱତ ସୂଚନା ଦେଇଛନ୍ତି ।

ଏହି ଅଦଳବଦଳ ସେତେବେଳେ ହୋଇଛି, ଯେତେବେଳେ ଶିବସେନାର ୧୯ ସାଂସଦଙ୍କ ମଧ୍ୟରୁ ୧୨ ଜଣ ଏକନାଥଙ୍କ ଗୋଷ୍ଠୀରେ ଯୋଗଦେବେ ବୋଲି ବିଦ୍ରୋହୀ ବିଧାୟକ ଗୁଲାବରାଓ ପାଟିଲ କହିଥିଲେ । ଯଦି ଏପରି ହୁଏ ତେବେ ଉଦ୍ଧବଙ୍କ ପାଇଁ ଏହା ବହୁତ ବଡ ଝଟକା ହେବ । କାରଣ ଦଳର ଲୋକସଭାରେ ୧୯ ସାଂସଦଙ୍କ ସମେତ ରାଜ୍ୟସଭାରେ ମଧ୍ୟ ୩ ସାଂସଦ ରହିଛନ୍ତି ।

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ଉଦ୍ଧବଙ୍କୁ ଚିଠି

ବୁଧବାର ଶିବସେନା ସାଂସଦ ରାହୁଲ ସିଓ୍ୱାଲେ ଉଦ୍ଧବଙ୍କୁ ରାଷ୍ଟ୍ରପତି ନିର୍ବାଚନ ନେଇ ଚିଠି ଲେଖିଥିଲେ । ଠାକରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରନ୍ତୁ ବୋଲି ଚିଠିରେ ଉଲ୍ଲେଖ ହୋଇଥିଲା ।

ସଚେତକ ବଦଳାଇବା ଉଦ୍ଧବଙ୍କ ନୂଆ ଗୋଟିଚାଳନା

ଲୋକସଭାରେ ସଚେତକ ପରିବର୍ତ୍ତନ କରି ନୂଆ ବାର୍ତ୍ତା ଦେଇଛନ୍ତି ଉଦ୍ଧବ । ଗୋଟିଏ ନୁହେଁ ବରଂ ସେ ଦୁଇଟି ବାର୍ତ୍ତା ଦେଇଥିବା କୁହାଯାଉଛି । ପ୍ରଥମେ ଉଦ୍ଧବ ସାଂସଦଙ୍କୁ ଏକନାଥଙ୍କ ନିୟନ୍ତ୍ରଣରୁ ବାଦ୍ ଦେବାକୁ ରଣନୀତି ପ୍ରସ୍ତୁତ କରିଥିବା କୁହାଯାଏ । ଅନ୍ୟ ଦିଗରେ ରାଜନ ଭିଚାରେ ହେଉଛନ୍ତି ଥାନେର ଜଣେ ଟାଣୁଆ ନେତା ।  ଥାନେ ଏକନାଥଙ୍କ ହୋମ୍ ଗ୍ରାଉଣ୍ଡ୍ । ଏଥିରୁ ସ୍ପଷ୍ଟ ଭାବେ ଶିବସେନା-ଶିବସେନା ଯୁଦ୍ଧରେ ଉଦ୍ଧବ ପଛଘୁଞ୍ଚା ଦେଇନଥିବା ବାରି ହୋଇପଡୁଛି ।

ସେପଟେ ପୂର୍ବରୁ ରାଜନ ଓ ସିନ୍ଦେଙ୍କ ମଧ୍ୟରେ ଦଳର ଦବଦବା ଜାହିର କରିବାକୁ ନେଇ ପ୍ରତିଯୋଗିତା ରହି ଆସିଛି । ଉଭୟ ଶିବସେନାର ଦିଗଂଗତ ନେତା ଆନନ୍ଦ ଦିଘେଙ୍କ ଶିଷ୍ୟ ବୋଲି ବିବେଚନା କରାଯାଏ । ଏପରି ଭାବେ ରାଜନ ସିନ୍ଦେଙ୍କୁ ଟକ୍କର ଦେଇପାରିବେ ବୋଲି ଉଦ୍ଧବ ଭାବୁ ଥାଇପାରନ୍ତି ।

ଦଳୀୟ ସଙ୍କେତକୁ ନେଇ ଉଭୟ ଗୋଷ୍ଠୀ ଛକାପଞ୍ଝା

ବିଦ୍ରୋହୀ ଶିବସେନା ବିଧାୟକ ଗୁଲାବରାଓ କହିଥିଲେ ଯେ, ଏକନାଥ ହେଉଛନ୍ତି ଶିବସେନା ସଙ୍କେତ ଧନୁ ଓ ତୀରର ପ୍ରକୃତ ହକଦାର୍ । ସେ ଆହୁରି ମଧ୍ୟ କହିଥିଲେ ଯେ, ସିନ୍ଦେ ଶୀଘ୍ର ୫୬ ବର୍ଷର ପୁରୁଣା ଶିବସେନାର ଗାରିମାକୁ ଫେରାଇ ଆଣିବେ। ସେମାନଙ୍କ ପାଥରେ ୫୫ରୁ ୪୦ ବିଧାୟକଙ୍କ ସମର୍ଥନ ରହିଛି । ଏହାସହ ୧୨ ଜଣ ସାଂସଦ ମଧ୍ୟ ତାଙ୍କ ଗୋଷ୍ଠୀରେ ରହିଛନ୍ତି । ତେଣୁ ସିନ୍ଦେଙ୍କ ହାତରେ ହିଁ ଶିବସେନା ରହିବା କଥା ବୋଲି ସେ କହିଛନ୍ତି ।ଅନ୍ୟଦିଗରେ ଏହାକୁ ଚ୍ୟାଲେଞ୍ଜ୍ କରିଥିଲେ ଠାକରେଙ୍କ ଗୋଷ୍ଠୀର ସାଂସଦ ସିନ୍ଧୁଦୁର୍ଗ ବିନାୟକ । ଯଦି ବିଜେପିର ଦମ୍ ଅଛି ତେବେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେଉ ବୋଲି ସେ କହିଥିଲେ।

ତେବେ ଶିବସେନା କଳି କେବେ ତୁଟିବ ତାହା ସ୍ପଷ୍ଟ ନଥିବା ବେଳେ ସିନ୍ଦେ ବନାମ ଠାକରେ ଲଢେଇ ମହାରାଷ୍ଟ୍ରରୁ ଆରମ୍ଭ କରି ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com