ଜାତୀୟ

‘ନୂଆ ଭାରତର ନୂଆ ଅଭିଧାନ’, ସଂସଦରେ ନିର୍ଦ୍ଦିଷ୍ଟ ଶବ୍ଦ ଉଚ୍ଚାରଣ ଉପରେ କଟକଣା ନେଇ ସରକାରଙ୍କୁ ବିରୋଧୀଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନ ପୂର୍ବରୁ ସଂସଦରେ (ଲୋକସଭା ଏବଂ ରାଜ୍ୟସଭା) ଅନେକ ଶବ୍ଦ ଉପରେ କଟକଣା ଲଗାଇବାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଜୁମଲାଜୀବୀ, ଏକଛତ୍ରବାଦୀ ଶକୁନି, ଜୟଚନ୍ଦ, ବିନାଶ ପୁରୁଷ, ରକ୍ତ ଚାଷ ଆଦି ଶବ୍ଦ ଗୁଡିକର ଲମ୍ବା ତାଲିକା ପ୍ରସ୍ତୁତ କରାଯାଇଛି । ଏହି ସବୁ ଶବ୍ଦ ଗୁଡିକୁ ଅଣସଂସଦୀୟ ଶବ୍ଦ ଭାବରେ ଅଭିହିତ କରାଯାଇଛି । ଲୋକସଭା ସଚିବାଳୟ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ସଂସଦରେ ଗୃହକାର୍ଯ୍ୟ କିମ୍ବା ବିତର୍କ ସମୟରେ ଏହି ଶବ୍ଦ ଗୁଡ଼ିକ ସାଂସଦମାନେ ବ୍ୟବହାର କରିପାରିବେ ନାହିଁ।

ଏହି ପ୍ରସଙ୍ଗରେ ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀ, ଅସଦୁଦ୍ଦିନ ଓୱାଇସିଙ୍କ ସହ ଆମ୍ ଆଦମୀ ପାର୍ଟି ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି।

ନିର୍ଦ୍ଦିଷ୍ଟ ଶବ୍ଦ ଉପରେ କଟକଣା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ହେଉଛି ନୂଆ ଭାରତର ନୂଆ ଅଭିଧାନ। ସେ ଟ୍ବିଟ୍ କରି କହିଛନ୍ତି ଯେ ସରକାରଙ୍କ କାର୍ଯ୍ୟଶୈଳୀକୁ ସଠିକ୍ ଭାବରେ ବର୍ଣ୍ଣନା କରୁଥିବା ଶବ୍ଦ ଉପରେ କଟକଣା ଲଗାଯାଇଛି। ଏଠାରେ ସେ ଜୁମଲାବାଜୀ, ଏକଛତ୍ରବାଦୀ ଶାସକ ଇତ୍ୟାଦି ବିଷୟରେ ଉଲ୍ଲେଖ କରି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ ଏହି ଦ୍ୱିତୀୟ ଗଣତନ୍ତ୍ରରେ ଏକ ନୂଆ ସମ୍ବିଧାନ ତିଆରି କରିବାକୁ ଚେଷ୍ଟା କରାଯିବ। ଏମାନେ କ’ଣ ନୂଆ ବ୍ୟାକରଣ ରଚନା କରୁଛନ୍ତି କି? ଚୌଧୁରୀ କହିଛନ୍ତି ଯେ ଆମେ ଏହି ଶବ୍ଦଗୁଡିକ ବ୍ୟବହାର କରିବା ଜାରି ରଖିବୁ। ସେ ଆହୁରି ମଧ୍ୟ କହିଛନ୍ତି, ‘ଆଜି ସେମାନେ କହିଛନ୍ତି ଯେ ଏହି ଶବ୍ଦଗୁଡିକ ବ୍ୟବହାର କରାଯାଇପାରିବ ନାହିଁ, ଆସନ୍ତାକାଲି ସେମାନେ କହିବେ ଯେ ଯଦି ଆପଣ ସଂସଦକୁ ଆସିବାକୁ ଚାହାଁନ୍ତି, ତେବେ ଗୈରିକ ପୋଷାକ ପିନ୍ଧି ଆସନ୍ତୁ।’

ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ମଧ୍ୟ ନିର୍ଦ୍ଦିଷ୍ଟ ଶବ୍ଦ ଉପରେ କଟକଣା କରାଯିବା ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଅଣ ସଂସଦୀୟ ଭାଷା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଯେଉଁ ପ୍ରସଙ୍ଗରେ ଏହା କୁହାଯାଉଛି ତାହା ଗୁରୁତ୍ୱପୂର୍ଣ୍ଣ । ଯଦି ମୁଁ ସଂସଦରେ କହିଛି ଯେ, ଦେଶର ଯୁବକମାନଙ୍କୁ ବେକାର କରିଥିବାରୁ ମୁଁ ଫୁଲ ଫିଙ୍ଗି ମୋଦୀ ସରକାରଙ୍କୁ ମାରିବି’, ତେବେ କ’ଣ ସେମାନେ ‘ଫୁଲ’ କୁ ଅଣସଂସଦୀୟ ଭାଷା ଘୋଷଣା କରିବେ କି?

ଆମ୍ ଆଦମୀ ପାର୍ଟି ମଧ୍ୟ ଏହି ନୂଆ ଆଦେଶକୁ ବିରୋଧ କରିଛି। ଆପ୍ ସାଂସଦ ରାଘବ ଚଢ଼ା କହିଛନ୍ତି ଯେ ସାଂସଦମାନେ ସଂସଦରେ କିଛି ଶବ୍ଦ ବ୍ୟବହାର କରିପାରିବେ ନାହିଁ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହି ଶବ୍ଦଗୁଡ଼ିକର ତାଲିକା ପଢ଼ିବା ପରେ ଲାଗୁଛି ଯେ କେଉଁ ଶବ୍ଦ ଦ୍ବାରା ସରକାରଙ୍କ କାର୍ଯ୍ୟକୁ ବର୍ଣ୍ଣନା କରାଯାଇ ପାରିବ ତାହା ସରକାର ଭଲ ଭାବରେ ଜାଣିଛନ୍ତି | ‘ଜୁମଲାବାଜୀ’ କହିବା ଅଣସଂସଦୀୟ ହୋଇଯାଇଛି । କିନ୍ତୁ ‘ଆନ୍ଦୋଳନଜୀବୀ’ କହିବା ଅଣସଂସଦୀୟ ହୋଇନାହିଁ।

ଉଲ୍ଲେଖଯୋଗ୍ୟ ଯେ ସମୟ ସମୟରେ ଲୋକସଭା ସଚିବାଳୟ ଏଭଳି ଶବ୍ଦଗୁଡ଼ିକୁ ଅଣସଂସଦୀୟ ଶବ୍ଦ ତାଲିକାରେ ସାମିଲ କରିଥାଏ, ଯାହାକୁ ଲୋକସଭା, ରାଜ୍ୟସଭା ଅବା ରାଜ୍ୟ ବିଧାନସଭା ଏବଂ ବିଧାନ ପରିଷଦ ଦ୍ୱାରା ବ୍ୟାନ୍ କରାଯାଇଥାଏ ।

ସମ୍ବିଧାନର ଧାରା ୧୦୫ (୨) ଅନୁଯାୟୀ ସାଂସଦମାନଙ୍କୁ ବିଶେଷ ଅଧିକାର ମିଳିଥାଏ। ସେମାନେ ଗୃହ ଭିତରେ ଯାହା କହୁଛନ୍ତି ସେଥିପାଇଁ ସେମାନଙ୍କ ବିରୋଧରେ କୋର୍ଟରେ ମକଦ୍ଦମା କରାଯାଇପାରିବ ନାହିଁ। ସେଥିପାଇଁ ଲୋକସଭାର ନିୟମ ୩୮୦ ଅନୁଯାୟୀ ଲୋକସଭାର ବାଚସ୍ପତିଙ୍କର ଅଣସଂସଦୀୟ, ଅଶ୍ଳୀଳ କିମ୍ବା ଅପମାନ ସୂଚକ ଶବ୍ଦ ଗୁଡ଼ିକୁ ବ୍ୟାନ୍ କରିବାର ଅଧିକାର ରହିଛି।

ନିୟମ ୩୮୧ ଅନୁଯାୟୀ, ଅଣସଂସଦୀୟ ଭାବରେ ଅପସାରିତ ହୋଇଥିବା ଶବ୍ଦଗୁଡିକ ତାରାଙ୍କିତ କରି ଗୃହର ରେକର୍ଡରୁ ହଟାଯାଇପାରିବ |

Related Articles

Back to top button
WP Twitter Auto Publish Powered By : XYZScripts.com