ଅନ୍ୟାନ୍ୟ

ଅବସରପ୍ରାପ୍ତ ଶିକ୍ଷକଙ୍କୁ ଘରୁ ଚୋରି; ୨ ଅଟକ

ବ୍ରହ୍ମପୁର, ୧୦/୦୮/୨୦୨୨-  ଗଞ୍ଜାମ ଦିଗପହଣ୍ଡି ସହରରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ସୁନାଗହଣା ଓ ଟଙ୍କା ଲୁଟ୍ ଅଭିଯୋଗରେ ସ୍ଥାନୀୟ ପୋଲିସ ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଦିଗପହଣ୍ଡି ଭାରତୀୟ ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ନିଜ ଝିଅର ପ୍ରବେଶିକା ପରୀକ୍ଷା ନିମନ୍ତେ ଆସିକା ଯାଇଥିବା ବେଳେ ଅନ୍ୟ ଝିଅ କଲେଜ ଯାଇଥିଲେ ଏବଂ ସ୍ତ୍ରୀ ଗୀତାଞ୍ଜଳି ପାଣିଗ୍ରାହୀ ଏକାକୀ ଘରେ ଥିଲେ । ପ୍ରବଳ ବର୍ଷା ହେଉଥିବା ଯୋଗୁଁ ଏହି ସମୟରେ ରାସ୍ତା ପୂରା ଶୁନଶାନ୍ ରହିଥିଲା । ଯାହାର ସୁଯୋଗ ନେଇ ଲୁଟେରା ମାନେ ଘରେ ପଶି ଆଲମିରା ଓ ଲକର  ଭାଙ୍ଗି ସୁନା, ରୂପା ଓ ନଗଦ ଟଙ୍କା ଲୁଟି ନେଇଥିଲେ । କିଛି ସମୟ ପରେ ଗୀତାଞ୍ଜଳି ଆଲମାରୀ କବାଟ ଖୋଲା ରହିବା ସହ ଲକର ତାଲା ଝୁଲି ରହିଥିବା ଦେଖିବାକୁ ପାଇଥିଲେ । ଏହାପରେ ଲକର ଖୋଲି ଦେଖିବାମାତ୍ରେ ସେଥିରେ ଥିବା ୨୦ ଭରି ଓଜନର ସୁନା , ରୂପା ଓ ନଗଦ ୧୦ ହଜାର ଟଙ୍କା ନଥିବା ନେଇ ସ୍ବାମୀଙ୍କୁ ଖବର ଦେଇଥିଲେ । ଘଟଣାପରେ ଗୋବିନ୍ଦ ଦିଗପହଣ୍ଡି ଥାନାରେ ଘଟଣା ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏତଲାକୁ ଭିତ୍ତି କରି ଥାନା ମାମଲା ନଂ ୨୮୬/୨୨ ରେ ମକଦ୍ଦମା ରୁଜୁ କରିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ନିକଟସ୍ଥ ସିସିଟିଭି ଫୁଟେଜକୁ ଯାଞ୍ଚ କରି ତଦନ୍ତ ଚଳାଇଥିବା ବେଳେ ଏଥିରେ ଜଣେ ଯୁବକ ସମେତ ମହିଳା ଘରେ ପଶିଥିବା ଜଣାପଡିଛି । ତେବେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ , ଏହି ଦୁଇଜଣ ବିଭିନ୍ନ ସମୟରେ ଭିକ୍ଷା ନିମନ୍ତେ ଏଠାକୁ ଆସିଥିବା ଦେଖିଛନ୍ତି । ସମସ୍ତ ତଥ୍ୟକୁ ଆଧାର କରି ପୋଲିସ ତଦନ୍ତ ଚଳାଇଥିବା ବେଳେ ଆଜି ପୋଲିସ ଜଣେ ମହିଳା ଓ ପୁରୁଷକୁ ଥାନାକୁ ଆଣି ପଚରାଉଚରା କରୁଥିବା ବେଳେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com