ଅନ୍ତର୍ଜାତୀୟଜାତୀୟ

‘ସଂଯମତା ରକ୍ଷା କରନ୍ତୁ ୟୁକ୍ରେନ-ଋଷ’ : ଭାରତ

ଭାରତ ୟୁକ୍ରେନରେ ଥିବା ଜାପୋରିଝିୟା ଆଣବିକ ଶକ୍ତିକେନ୍ଦ୍ରକୁ ନେଇ ଜାତିସଙ୍ଘରେ ଚିନ୍ତା ପ୍ରକାଶ କରିଛି । ନିକଟରେ ୟୁକ୍ରେନର ଏହି ଆଣବିକ କେନ୍ଦ୍ରରେ ଗୁଳିକାଣ୍ଡ ଓ ବୋମାମାଡ ଖବର ଆସିଥିଲା । ତେଣୁ ଭାରତ ଏହାର ସୁରକ୍ଷାକୁ ନିଶ୍ଚିତ କରିବା ସହ ଋଷ ଓ ୟୁକ୍ରେନ ସଂଯମତା ରକ୍ଷା କରିବାକୁ ପରାମର୍ଶ ଦେଇଛି ।  ଜାତିସଙ୍ଘରେ ଭାରତର ସ୍ଥାୟୀ ପ୍ରତିନିଧି ଋଚିରା କମ୍ବୋଜ କହିଛନ୍ତି ଯେ, ୟୁକ୍ରେନର ଆଣବିକ କେନ୍ଦ୍ରର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଗୁରୁତ୍ନ ଦେବା ଆବଶ୍ୟକ । ଭାରତ ଏସବୁ କେନ୍ଦ୍ରର ସୁରକ୍ଷା ପାଇଁ ମହତ୍ୱ ରଖେ । କାରଣ ଆଣବିକ କେନ୍ଦ୍ର ସହ ଜଡିତ କୌଣସି ଦୁର୍ଘଟଣା ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇବ । କମ୍ବୋଜ ଆହୁରି କହିଛନ୍ତି ଯେ, ଭାରତ ଆଣବିକ କେନ୍ଦ୍ର ନିକଟରେ ହୋଇଥିବା ଗୁଳିକାଣ୍ଡ ଖବରକୁ ନେଇ ଚିନ୍ତା ପ୍ରକଟ କରିଛି । କୌଣସି ୟୁଦ୍ଧ ଆଣବିକ କେନ୍ଦ୍ରର ସୁରକ୍ଷା ଉପରେ ଆଞ୍ଚ ନଆଣିବା ଆବଶ୍ୟକ । ଭାରତ ୟୁକ୍ରେନ ସାମ୍ନା କରୁଥିବା ନାନା ସମସ୍ୟା ଉପରେ ଫୋକସ କରୁଛି । ଭାରତ ସଦାବେଳେ କୁଟନୈତିକ ଆଲୋଚନାକୁ ଗୁରୁତ୍ୱ ଦେଇଥାଏ ।

ସେହିପରି ଅନ୍ତରାଷ୍ଟ୍ରୀୟ ଆଣବିକ ଶକ୍ତି ସଂସ୍ଥାର ମହାନିର୍ଦ୍ଦେଶକ ରାଫେଲ୍ ମରିୟାନୋ କହିଛନ୍ତି ଯେ, ୟୁରୋପର ସବୁଠୁ ବଡ ଆଣବିକ କେନ୍ଦ୍ରରେ ଗୁଳିମାଡ ହୋଇଛି । ଯେଉଁଥିରେ ବିଦ୍ୟୁତ ସ୍ୱିଚ୍ ବୋର୍ଡ ପାଖରେ ଅନେକ ବିସ୍ଫୋରଣ ହୋଇଛି । ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି । ୟୁକ୍ରେନରେ ଥିବା ୧୫ ଆଣବିକ କେନ୍ଦ୍ର ମଧ୍ୟରୁ ୧୦ଟି ଜାପୋରିଜ୍ଜିୟାରେ ରହିଛି । ଏତତ୍ ବ୍ୟତୀତ ୟୁଏନ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ମଧ୍ୟ ଦକ୍ଷିଣ ୟୁକ୍ରେନରେ ଥିବା ଆଣବିକ କେନ୍ଦ୍ରରେ ଗୁଳିମାଡ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସମସ୍ତଙ୍କୁ ଯୁଦ୍ଧ ବେଳେ ବିବେକ ଅନୁଯାୟୀ କାମ କରିବାକୁ କହିଛନ୍ତି । ଆହୁରି ମଧ୍ୟ ଉଭୟ ଋଷ ଓ ୟୁକ୍ରେନ କୁଟନୈତିକ ସ୍ତରରେ ଆଲୋଚନା କରି ଶାନ୍ତି ପ୍ରତିଷ୍ଠା ଦିଗରେ କାମ କରିବାକୁ ସେ ଆହ୍ୱାନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com