କ୍ରୀଡ଼ା

ଟି-୨୦ ବିଶ୍ୱକପରେ ଆଜି ସିଡନୀରେ ନେଦରଲାଣ୍ଡକୁ ଭେଟିବ ଟିମ ଇଣ୍ଡିଆ

ଟି-୨୦ ବିଶ୍ୱକପରେ ଆଜି ଭାରତ ଓ ନେଦରଲାଣ୍ଡର ମଧ୍ୟରେ ହେବ ମୁକାବିଲା । ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଏହି ହାଇଭୋଲଟେଜ ମ୍ୟାଚ । ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪ ୱିକେଟରେ ହରାଇବା ପରେ ଟିମ ଇଣ୍ଡିଆର ମନୋବଳ ଉଚ୍ଚରେ ରହିଛି । ତେଣୁ ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ବଡ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ । କାରଣ ନେଦରଲାଣ୍ଡକୁ ବଡ ବ୍ୟବଧାନରେ ପରାଜୟ କଲେ ଭାରତର ରନରେଟ ବଢିବ । ଆଗାମୀ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହେଲେ ମଧ୍ୟ ସେମିଫାଇନାଲ ଦୌଡରେ ରହିବ ଭାରତ । ନେଦରଲାଣ୍ଡ ଓ ଭାରତ ମଧ୍ୟରେ ଏହା ହେଉଛି ପ୍ରଥମ ଟି-୨୦ ମୁକାବିଲା । ପୂର୍ବରୁ ୨୦୦୩ ଓ ୨୦୧୧ ବିଶ୍ୱକପରେ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ । ଆଉ ଦୁଇଟି ମ୍ୟାଚରେ ଭାରତ ବାଜିମାତ କରିଥିଲା । ତେଣୁ ନେଦରଲାଣ୍ଡକୁ ହରାଇବା ପାଇଁ ଭାରତ ପାଇଁ ଚାଲେଞ୍ଜ ନୁହେଁ, ବରଂ ବଡ ବ୍ୟବଧାନରେ ବିଜୟ ଅବଶ୍ୟକ । ହେଲେ ଚଳିତ ଟି-୨୦ ବିଶ୍ୱକପରେ ପୂର୍ବ ମ୍ୟାଚ ଗୁଡିକରେ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଦୁଇ ଦୁଇ ଥର ଚାମ୍ପିୟନ ହୋଇଥିବା ୱେଷ୍ଟଇଣ୍ଡିଜ କ୍ୱାଲିଫାଇଁ ରାଉଣ୍ଡରୁ ବିଦା ହୋଇଛି । ଇଂଲଣ୍ଡ ଭଳି ଦଳକୁ ଆର୍ୟଲାଣ୍ଡ ହରାଇ ସମସ୍ତଙ୍କୁ ଚମକେଇ ଦେଇଛି । ଏପରି ସ୍ଥିତିରେ ଭାରତକୁ ପରାଜିତ କରି ଚଳିତ ଟୁର୍ଣ୍ଣାମେଂଟରେ ବଡ ବିପର୍ଯ୍ୟୟ ଆଣିବାକୁ ଚେଷ୍ଟା କରିବ ନେଦରଲାଣ୍ଡ ଟିମ୍ । ତେଣୁ ଭାରତୀୟ ଦଳ ଆଜିର ମ୍ୟାଚକୁ ହାଲୁକାର ନନେଇ ସତର୍କତା ସହ ସଂପୂର୍ଣ୍ଣ ରଣନୀତିରେ ଖେଳିବାକୁ ପଡିବ ।

Related Articles

Back to top button
WP Twitter Auto Publish Powered By : XYZScripts.com