ବାଣିଜ୍ୟ

ସାଉଥ୍‌‌ ପଏଣ୍ଟ୍‌‌ ହସପିଟାଲ ଉପରେ କ୍ରାଇମ ବ୍ରାଞ୍ଚ ତଦନ୍ତ ଆରମ୍ଭ

କଟକ, ୧୮/୦୧/୨୦୨୩ –   BSKY ଜାଲିଆତି ମାମଲାରେ ଛନ୍ଦି ହୋଇଥିବା ସାଉଥ୍‌‌ ପଏଣ୍ଟ୍‌‌ ହସପିଟାଲ ଉପରେ ସରକାରୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏହି ମାମଲାରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ଦେବା ପରେ ଆଜି ମାମଲାର ତଦନ୍ତ ଆରମ୍ଭ ହୋଇଥିବା କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ।

ଏହା ସହିତ ମଙ୍ଗଳବାର କଟକ ମହାନଗର ନିଗମର ଏନ୍‌‌ଫୋର୍ସମେଣ୍ଟ ଟିମ୍‌‌ ଦ୍ୱାରା ୩୫ ଡିସିମିଲ ସରକାରୀ ଜମିରେ ବେଆଇନ ଭାବେ ନିର୍ମାଣ ହୋଇଥିବା ପାଚେରିକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି ।  ହସ୍‌‌ପିଟାଲ ଦ୍ୱାରା ସରକାରୀ ଜମି ଜବରଦଖଲ ଓ ବେଆଇନ ନିର୍ମାଣ ଅଭିଯୋଗରେ CMC ପକ୍ଷରୁ ହସ୍‌‌ପିଟାଲ କର୍ତ୍ତୃପକ୍ଷଙ୍କ ନାମରେ ଏକ ”ଅନ୍‌‌ଅଥରାଇଜ୍‌‌ଡ କନ୍‌‌ଷ୍ଟ୍ରକ୍‌‌ସନ୍‌‌” କେସ୍‌‌ ରୁଜୁ ହୋଇଛି ।

ଖୁବ୍‌‌ଶୀଘ୍ର ହସ୍‌‌ପିଟାଲ ବିଲ୍ଡିଂର ପ୍ଲାନିଂ ଅନୁମୋଦନ ନେଇ ମଧ୍ୟ ଖୋଳତାଡ଼ କରାଯିବ । ଏଥିନିମନ୍ତେ CMC ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି । ହସ୍ପିଟାଲ କର୍ତ୍ତୃପକ୍ଷ ବିଲ୍ଡିଂ ଅନୁମୋଦନର ସମସ୍ତ କାଗଜପତ୍ର CMC ନିକଟରେ ଦାଖଲ କରିବେ । ଏହାପରେ ପ୍ଲାନିଂ କମିଟି ଦ୍ୱାରା କାଗଜପତ୍ର ଯାଞ୍ଚ କରାଯିବ । ଯଦି ପ୍ଲାନିଂ ନିୟମାନୁଯାୟୀ ବିଲ୍ଡିଂ ନିର୍ମାଣ ହୋଇ ନ ଥିବ, ତା’ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ହସ୍‌‌ପିଟାଲ୍‌‌ ମାଲିକ ଡାକ୍ତର ରାଜକୁମାର ସନ୍ତୁକା GST ଟିକସ୍‌‌ ଫାଙ୍କିବା ସହିତ BSKY ଯୋଜନାରେ ଜାଲିଆତି କରି ସରକାରୀ ଅର୍ଥ ହରିଲୁଟ୍‌‌ କରୁଥିବା ଭଳି ସଂଗୀନ ଅଭିଯୋଗ ପରେ ମାଲିକ ସନ୍ତୁକାଙ୍କ ପୁଅ ବିନୟ ସନ୍ତୁକାଙ୍କ ସମେତ ୫ଜଣ ଦଲାଲଙ୍କୁ ଗିରଫ କରାଯାଇଛି ।

ଏଥିସହ ସରକାରୀ ଜମି ଉପରେ ହସ୍ପିଟାଲ ନିର୍ମାଣ କରିଥିବା ବିଦ୍ୟୁତ୍‌‌ ଟ୍ରାନ୍ସଫର୍ମର ଓ ଅକ୍ସିଜେନ୍‌‌ ପ୍ଲାଣ୍ଟକୁ ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ବାବଦରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କର ଯଦି କୌଣସି ଅଭିଯୋଗ ଥାଏ, ତେବେ ପକ୍ଷ ରଖିବା ପାଇଁ ଆସନ୍ତା ୨୪ ତାରିଖ ସୁଦ୍ଧା ହାଜର ହୋଇ ଦସ୍ତାବିଜ୍‌‌ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡେପୁଟି କମିଶନର କହିଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com