ବିଜ୍ଞାନ ଓ ପ୍ରଯୁକ୍ତି

ମହିଳା ଓ ଶିଶୁବିକାଶ ବିଭାଗର ଯୁବ ମାସ୍କଟ ‘କୁନି’ର ଶୁଭାରମ୍ଭ

ଭୁବନେଶ୍ୱର, ୦୩/୦୩/୨୦୨୩ –     ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସ ପାଇଁ ବିଷୟ ବସ୍ତୁ ରହିଛି ‘ନବ ପରିବର୍ତ୍ତନ ଓ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ଲିଙ୍ଗଗତ ସମାନତା ହାସଲ’ ।

ଶୁକ୍ରବାର ଲୋକସେବା ଭବନସ୍ଥିତ କନ୍‌ଭେନସନ ସେଣ୍ଟରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମହିଳା ସଶକ୍ତିକରଣ ଆଜି କେବଳ ଏକ ସ୍ଲୋଗାନ ନୁହେଁ, ଏହା ଆଜି ଏକ ବାସ୍ତବତା । ୭୦ ଲକ୍ଷ ମା’ ମାନଙ୍କ ବିଶାଳ ସଂଗଠନ ଆଜି SHGରୁ SME ହେବାକୁ ଯାଉଛି । ମା ମାନେ ଉଦ୍ୟୋଗୀ ହେବାକୁ ଯାତ୍ରା ଆରମ୍ଭ କରିଛନ୍ତି।

ତେଣୁ ଇନୋଭେସନ ଓ ଟେକ୍‌ନୋଲୋଜିର ଅଧିକରୁ ଅଧିକ ପ୍ରୟୋଗ କରି ମହିଳା ମାନଙ୍କୁ ସବୁ କ୍ଷେତ୍ରରେ ସମାନ ଅଧିକାର ପ୍ରଦାନ କରିବା ସହିତ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ ଦିଗରେ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁବିକାଶ ବିଭାଗର ଯୁବ ମାସ୍କଟ ‘କୁନି’ର ଶୁଭାରମ୍ଭ କରିଥିଲେ । ଏହି ମାସ୍କଟ କିଶୋର କିଶୋରୀ ମାନଙ୍କୁ ଶିକ୍ଷା, ଅଧିକାର ଓ ଅନ୍ୟାନ୍ୟ କ୍ଷେତ୍ରରେ ସଚେତନ କରିବା ପାଇଁ କାର୍ଯ୍ୟ କରିବ। ଏହାସହିତ ରାଜ୍ୟର ନୂଆ ଶିଶୁ ନୀତି ‘ପ୍ରାରମ୍ଭ’ ମଧ୍ୟ ଉନ୍ମୋଚିତ ହୋଇଥିଲା । ଏହାସହିତ ଆଶୀର୍ବାଦ ଯୋଜନାର MIS ପୋର୍ଟାଲ୍ ଏବଂ ଓ୍ଵାନ୍ ଷ୍ଟପ୍ ସେଣ୍ଟର ଓ ମହିଳା ହେଲ୍‌ପ ଲାଇନରେ ସଫଳ ମହିଳାଙ୍କ କାହାଣୀ ଉପରେ ଏକ କେସ୍ ଷ୍ଟଡି ବୁକଲେଟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମହିଳା ଓ ଶିଶୁବିଭାଗର କମିଶନର-ତଥା-ଶାସନ ସଚିବ ଶୁଭା ଶର୍ମା, ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର-ତଥା- ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କିଶୋର ଓ କିଶୋରୀମାନେ ଯୋଗ ଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com