ରାଜନୀତି

ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି

ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ଏହି ତାଲିକାରେ ୧୯୫ ପ୍ରାର୍ଥୀଙ୍କୁ ଦିଆଯାଇଛି ଟିକେଟ୍। ସେହିପରି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନାଁ ରହିଛି । ତେବେ ଆଗାମୀ ନିର୍ବାଚନରେ ଦଳ କିଛି ସାଂସଦଙ୍କୁ ଟିକେଟ୍ ନ ଦେବାକୁ ନିଷ୍ପତ୍ତି ନେଇଛି । କିନ୍ତୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଦଳ ଟିକେଟ୍ ଦେଇଛି । ସେ ବିଦିଶା ସଂସଦୀୟ କ୍ଷେତ୍ର ଆସନରୁ ନିର୍ବାଚନ ଲଢ଼ିବେ। ଏଥିସହ ଭୋପାଳ ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କୁ ଏଥର ଦଳ ପ୍ରାର୍ଥୀ କରିନାହିଁ ଅର୍ଥାତ୍ ତାଙ୍କୁ ମିଳିନାହିଁ ଟିକେଟ୍।

ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ବ୍ୟତୀତ ଅନ୍ୟ ପାଞ୍ଚ ଜଣ ସାଂସଦଙ୍କୁ ଟିକେଟ୍ ଦିଆଯାଇ ନାହିଁ । ଦଳ ଗୁନାରୁ କେପି ସିଂ ଯାଦବଙ୍କ ସ୍ଥାନରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟିକେଟ୍ ଦେଇଛି। ସେହପିରି ସାଗର ସାଂସଦ ରାଜବାହାଦୁର ସିଂଙ୍କ ସ୍ଥାନରେ ପୂର୍ବତନ ମହିଳା ଆୟୋଗର ଅଧ୍ୟକ୍ଷ ଲତା ୱାନକେଡେଙ୍କୁ ପ୍ରାର୍ଥୀ କରିଛି । ରତଲାମ-ଝାବୁଆରୁ ଜିଏମ୍ ଡାମରାଙ୍କ ସ୍ଥାନ ଅନୀତା ନାଗର ସିଂ ଚୌହାନ୍ ନେଇଛନ୍ତି । ସେହିପରି ଗ୍ୱାଲିୟରରେ ପୂର୍ବତନ ମନ୍ତ୍ରୀ ଭାରତ ସିଂ କୁଶୱାଙ୍କୁ ଟିକେଟ୍ ମିଳିଛି । ହେଲେ ବିବେକ ଶେଜୱାଲକରଙ୍କୁ ଟିକେଟ୍ ମିଳିନାହିଁ ।

ବର୍ତ୍ତମାନ ସାଂସଦ ଥିବା ୧୩ ଜଣଙ୍କୁ ପୁଣି ଥରେ ଦଳ ପ୍ରାର୍ଥୀ କରିଛି । ସେମାନେ ପୁଣି ଥରେ ନିଜ ଆସନରୁ ନିର୍ବାଚନ ଲଢ଼ିବେ । ସେମାନଙ୍କ ମଧ୍ୟରୁ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ତିନିଥର ସାଂସଦ ବୀରେନ୍ଦ୍ର କୁମାର ଅଛନ୍ତି । ସେ ଟିକମଗଢ଼ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ତେବେ ବରିଷ୍ଠ ସାଂସଦ ବୀରେନ୍ଦ୍ର କୁମାର ଖତିକ ଅଷ୍ଟମ ଥର ପାଇଁ ଲୋକସଭା ନିର୍ବାଚନ ଟିକେଟ୍ ପାଇଛନ୍ତି । ରାଜ୍ୟ ବିଜେପି ମୁଖ୍ୟ ବିଡି ଶର୍ମା ଖଜୁରାହୋରୁ ନିର୍ବାଚନ ଲଢ଼ିବେ । ହିମାଦ୍ରୀ ସିଂ ଶହଡେଲ, ଗଣେଶ ସିଂ ସତନାରୁ ଏବଂ ଛଅ ଥର ସାଂସଦ ଥିବା ଫଜଗାନ ସିଂ କୁଲସ୍ତେରୁ ନିର୍ବାଚନ ଲଢ଼ିବେ ।

ତେବେ ଟିକେଟ ପାଇବା ପରେ ଶିବରାଜ ସିଂ ଚୌହାନ କହିଛନ୍ତି ଯେ – ମୁଁ କେନ୍ଦ୍ରୀୟ ନେତୃତ୍ୱକୁ କୃତଜ୍ଞ ଜଣାଉଛି । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ମୁଖ୍ୟ ଜେପି ନାଡା, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ବିଦିଶା ଲୋକଙ୍କ ସହ ଅତି ନିକଟତର, ଆମ ପରିବାର ପରି । ବିଦିଶାର ରୋଡମ୍ୟାପ୍ ପ୍ରସ୍ତୁତ ଅଛି । ମଧ୍ୟପ୍ରଦେଶର ୨୯ଟି ଲୋକସଭା ଆସନରେ ବିଜେପି ଜିତିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com