ଅନ୍ୟାନ୍ୟ

ହୃଦ୍ ରୋଗ ଚିକିତ୍ସା ପାଇଁ ନୂଆ ମାର୍ଗଦର୍ଶିକା

ଭୁବନେଶ୍ୱର, ୦୩/୧୨/୨୦୨୨-    ହୃଦ ରୋଗର ନିଦାନ ଏବଂ ଚିକିତ୍ସା ପାଇଁ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯିବ। ଡାକ୍ତର ଏବଂ ମେଡିକାଲ ଅଫିସରମାନଙ୍କୁ ଇ-ସଞ୍ଜିବନୀ ପୋର୍ଟାଲ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବ । ଏଥିପାଇଁ ମୁଖ୍ୟତଃ ଏମ୍ସ୍ଞ‍ କିମ୍ବା ତତୁଲ୍ୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ସହାୟତା ନିଆଯାଇ ପାରିବ। ହୃଦରୋଗର ଚିକିତ୍ସା ପାଇଁ ଏବେ ଭାରତ ସରକାର ନୂଆ ମାର୍ଗଦର୍ଶିକା ପ୍ରକାଶ କରିଛନ୍ତି । ତଦନୁଯାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ହୃଦରୋଗର ଚିକିତ୍ସା ନିମନ୍ତେ ମୁଖ୍ୟତଃ MD, ମେଡିସିନ୍‍ / MBBS ଡାକ୍ତର, ଇସିଜି ଟେକ୍ନିସିଆନ୍‍ ଏବଂ ଷ୍ଟାଫ୍‍ ନର୍ସଙ୍କୁ ନିଯୁକ୍ତ କରାଯିବ ।

ସେହିପରି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଉପକରଣ, ଜରୁରୀକାଳୀନ ଔଷଧ ମହଯୁଦ ରଖିବା ସହିତ ଥ୍ରୋମ୍ବୋଲିସିସ୍‍ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ। ସ୍ୱାସ୍ଥ୍ୟ କେନ୍ଦ୍ରରେ ଇସିଜି ବ୍ୟବସ୍ଥା ସହିତ ଚେଷ୍ଟ ପେନ୍‍ କ୍ଲିନିକ୍‍ ରହିବ। ଏଥିସହ କ୍ୟାଥ୍‍ ଲ୍ୟାବ୍‍, କ୍ରିଟିକାଲ କେୟାର ୟୁନିଟ୍‍ ଆଦି ରହିବ । ଆବଶ୍ୟକସ୍ଥଳେ ରାଜ୍ୟ ସରକାର ହୃଦରୋଗର ଚିକିତ୍ସା ପାଇଁ ରିଫ୍ରେସର କୋର୍ସ ଆରମ୍ଭ କରିବା ପାଇଁ ପଦକ୍ଷେପ ନେବେ। ପ୍ରଶିକ୍ଷିତ ଡାକ୍ତର ଏବଂ କର୍ମଚାରୀ ପ୍ରଥମ ଚିକିତ୍ସକ ଭାବେ କାର୍ଯ୍ୟ କରିବେ । ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯିବ । ନିଦାନ ଏବଂ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଇସିଜି ମେସିନ୍‍, ଟ୍ରୋପୋନିନ୍‍ କେୟାର ଉପକରଣ, ମଲ୍ଟି ପାରା ମନିଟର୍‍, ଡେଫିବ୍ରିଲେଟର୍‍, ଜିପିଏସ୍‍ ଯୁକ୍ତ ସ୍ମାର୍ଟଫୋନ ଆଦି ବ୍ୟବସ୍ଥା କରାଯିବ ।

ରୋଗୀଙ୍କ ସୁବିଧା ପାଇଁ ରାଜ୍ୟ ଅବା ଜିଲ୍ଲା ସ୍ତରରେ ଏକ ୨୪ ଘଣ୍ଟିଆ ସୂଚନା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ମାର୍ଗଦର୍ଶିକାରେ କୁହାଯାଇଛି । ଆବଶ୍ୟକସ୍ଥଳେ ସରକାରୀ ଘରୋଇ ଭାଗିଦାରୀ ବା ପିପିପି ମୋଡରେ ସେବା ପ୍ରଦାନକାରୀ ସଂସ୍ଥାକୁ ନିଯୁକ୍ତ କରାଯାଇ ପାରିବ। ଗୁରୁତର ରୋଗୀଙ୍କ ପାଇଁ ଜୀବନ ରକ୍ଷାକାରୀ ସୁବିଧା ଥିବା ଆମ୍ବୁଲାନ୍ସ ବ୍ୟବହାର କରାଯିବ ଏବଂ ସେଥିରେ ଜଣେ ପ୍ରଶିକ୍ଷିତ ଫାର୍ମାସିଷ୍ଟ ରହିବେ। ହୃଦଘାତ ଲକ୍ଷଣ ଥିବା ରୋଗୀଙ୍କର ଅତିବେଶିରେ ଦୁଇ ଘଣ୍ଟା ମଧ୍ୟରେ ଚିକିତ୍ସା କରିବା ଜରୁରୀ ।  ହୃଦଘାତର ଚିକିତ୍ସା ପାଇଁ CHC, PHC,  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି ମେଡିକାଲ କଲେଜରେ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

 

Related Articles

Back to top button