କ୍ରୀଡ଼ା

ବିଶ୍ୱକପ୍ ପାଇଁ ଭାରତକୁ ଆସିବ ପାକିସ୍ତାନ

ଅକ୍ଟୋବର ୫ରୁ ଆରମ୍ଭ ହେବ ବିଶ୍ୱକପ ଅଭିଯାନ

ଭୁବନେଶ୍ୱର: ୨୦୨୩ ପୁରୁଷ ବିଶ୍ୱକପକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱରେ ପୂର୍ଣ୍ଣଚ୍ଛେଦ ପଡିଛି । କାରଣ ସବୁ ଦେଶ ଭାରତ ଆସି ବିଶ୍ୱକପ ଖେଳିବାକୁ ରାଜି ଥିଲାବେଳେ ଏକମାତ୍ର ଦେଶ ପାକିସ୍ତାନ ତାର ଜିଦିରେ ଅଟଳ ରହିଥିଲା । ଯଦି ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଗସ୍ତରେ ନଆସିବ ତେବେ ଆମେ ମଧ୍ୟ ବିଶ୍ୱକପ ଖେଳିବାକୁ ଭାରତକୁ ଯିବୁ ନାହିଁ ବୋଲି କହିଥିଲା । ପାକିସ୍ତାନର ଏକାଧିକ ପୂର୍ବତନ କ୍ରିକେଟର ଭାରତକୁ ନ ଆସିବା ସପକ୍ଷରେ ମତ ଦେଇଥିଲେ । ସେବେଠାରୁ ବିଶ୍ୱକପରେ ପାକିସ୍ତାନ ଭାଗ ନେବ କି ନାହିଁ ସେ ନେଇ କିଛି ସ୍ପଷ୍ଟ ହୋଇ ପାରୁନଥିଲା ।

ତେବେ ଏନେଇ ଲାଗି ରହିଥିବା କଳ୍ପନାଜଳ୍ପନା ଶେଷ ହୋଇଛି । ପାକିସ୍ତାନ କ୍ରିକେଟ ବୋର୍ଡ ସହ ICC କଥାହେବା ପରେ ଭାରତ ଆସିବାକୁ ପାକିସ୍ତାନ ସହମତି ପ୍ରକାଶ କରିଛି । ଏହି ବିବାଦର ଏବେ ସମାଧାନ ହେବାପରେ ବିସିସିଆଇ ଖୁବଶୀଘ୍ର ବିଶ୍ୱକପ୍ ପାଇଁ ଭେନ୍ୟୁ ଏବଂ ସୂଚୀ ପ୍ରକାଶ କରିବ ବୋଲି ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତ ହୋଇଥିବା ଭେନ୍ୟୁ ଅନୁଯାୟୀ, ପାକିସ୍ତାନ ତା’ର ମ୍ୟାଚ୍‌ଗୁଡ଼ିକ ଅହମଦାବାଦ, ହାଇଦ୍ରାବାଦ, ଚେନ୍ନାଇ ଓ ବେଙ୍ଗାଲୁରୁରେ ଖେଳିବ । ଏହା ବ୍ୟତୀତ କୋଲକାତା, ଦିଲ୍ଲୀ, ଇନ୍ଦୋର, ଧର୍ମଶାଳା, ଗୌହାଟୀ, ରାଜକୋଟ, ରାୟପୁର ଓ ମୁମ୍ବାଇରେ ବିଶ୍ୱକପର ସମସ୍ତ ମ୍ୟାଚ୍ ଖେଳାଯିବ ।

ତେବେ ଦିନିକିଆ ବିଶ୍ୱକପ ଆସନ୍ତା ଅକ୍ଟୋବର ୫ ରୁ ଆରମ୍ଭ ହେବ । ଗୁଜରାଟର ଐତିହାସିକ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଓ ରନର୍ସ ଅପ ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେବେ । ସେହିପରି ଭାରତର ତାର ବିଶ୍ୱକପ ଅଭିଯାନ ଚେନ୍ନାଇର ଚେପକ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରୁ ଆରମ୍ଭ କରିବ । ତେବେ ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲା ଅକ୍ଟୋବର ୧୫ରେ ଖେଳାଯିବ ।

କାରଣ ଏହି ମ୍ୟାଚରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ଏହି ବହୁ ପ୍ରତିକ୍ଷୀତ ମ୍ୟାଚ୍ ମଧ୍ୟ ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ସେହିପରି ନଭେମ୍ବର ୧୯ରେ ଏହି ଅହମଦାବାଦରେ ବିଶ୍ୱକପ ଫାଇନାଲ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହେବ। ଏଥର ବିଶ୍ୱକପ ଖେଳିବାକୁ ଭାରତ, ପାକିସ୍ତାନ, ବାଂଲାଦେଶ, ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି।ଏବେ ବାକି ଦୁଇଟି ଟିମ ପାଇଁ ଜୁନ ଓ ଜୁଲାଇରେ ଯୋଗ୍ୟତା ପର‌୍ୟ୍ୟାୟ ମ୍ୟାଚ୍ ହେବ । ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ ବିଶ୍ୱକପ ଟିକେଟ ପାଇଁ ଜିମ୍ବାୱେ, ଜିମ୍ବାୱେ. ନେଦରଲ୍ୟାଣ୍ଡ୍, ଆୟର୍ଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ, ୟୁଏଇ, ଓମାନ, ଓ ନେପାଳ ସହ ଲଢ଼େଇ କରିବେ । ଏଥର ମୋଟ ୧୦ଟି ଟିମ ବିଶ୍ୱକପରେ ଭାଗ ନେଇ ୪୮ଟି ମ୍ୟାଚ୍ ଖେଳିବେ ବୋଲି ସ୍ଥିର ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com