ରାଜନୀତି

Rahul Gandhiଙ୍କ Bharat Jodo Yatra ଲଦାଖରୁ ପୁଣି ଆରମ୍ଭ

କଂଗ୍ରେସ ନେତା ତଥା ୱାୟନାଡା ସାଂସଦ ରାହୁଲ ଗାନ୍ଧିଙ୍କ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ଭାରତ ଯୋଡ଼ୋ ଯାତ୍ରାକୁ ପୁଣି ଥରେ ଆରମ୍ଭ କରିଛନ୍ତି ରାହୁଲ । ଆଉ ଏହି ଯାତ୍ରା ଆରମ୍ଭ ହୋଇଛି ରାହୁଲଙ୍କ ଲଦାଖ ଯାତ୍ରାରୁ । କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ଯେଉଁ ଲକ୍ଷ୍ୟ ନେଇ ରାହୁଲ ଲଦାଖ ଯାତ୍ରା କରିଥିଲେ ତାହା ସଫଳ ହୋଇଛି । କ୍ରସ୍ –କଣ୍ଟ୍ରି ଯାତ୍ରା କାଳରେ କେନ୍ଦ୍ର ଶାସିତ ଅଞ୍ଚଳରେ ଏକ ପ୍ରତିନିଧି ମଣ୍ଡଳୀ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ରାହୁଲ ଗାନ୍ଧି । ଏହା ରାହୁଲଙ୍କ ପ୍ରତିବଦ୍ଧତାକୁ ସୂଚାଉଛି ।

ଏଠାରେ କହିରଖୁଛୁ ଯେ ୨୦୨୨ ସେପ୍ଟେମ୍ବରରୁ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ରାହୁଲ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଥିଲେ । ସାଥୀରେ ଥିଲେ ଦଳୀୟ ସମର୍ଥକ ଆଉ ସାମିଲ୍ ହୋଇଥିଲେ ବିଭିନ୍ନ ବର୍ଗର ଜନତା । ସେମାନଙ୍କ ଉତ୍ସାହକୁ ପୁଞ୍ଜି କରି ଏବଂ ସେମାନଙ୍କ ସମର୍ଥନରୁ ଶକ୍ତି ସାଉଁଟି କଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୀର୍ଘ ୪ ହଜାର କିଲୋମିଟର ଯାତ୍ରା ପୂର୍ଣ୍ଣ କରିଥିଲେ ରାହୁଲ ।

କଂଗ୍ରେସ ଜେନେରାଲ୍ ସେକ୍ରେଟାରି ଜୟରାମ ରମେଶଙ୍କ ଏକ ସୋସିଆଲ୍ ମିଡିଆ ପୋଷ୍ଟ ଅନୁସାରେ ଗତ ଜାନୁଆରୀ ୨୪ରେ ରାହୁଲ ଗାନ୍ଧି ଜମ୍ମୁର ଝାଜ୍ଜର କୋଟଲିରେ ଲଦାଖର ଏକ ପ୍ରତିନିଧି ମଣ୍ଡଳୀ ସହ ସାକ୍ଷାତ କରିଥିଲେ । ଏବେ ଲଦାଖ ଯାତ୍ରା କରିବା ଫଳରେ ଉକ୍ତ ପ୍ରତିନିଧି ମଣ୍ଡଳୀକୁ ଦିଆଯାଇଥିା ପ୍ରତିଶ୍ରୁତି ପୂରଣ ହୋଇଛି । ଏପରିକି ସେ ସମୟରେ ପ୍ରତିନିଧି ମଣ୍ଡଳୀ ରାହୁଲଙ୍କୁ ଅନୁରୋଧ କରିଥିଲେ ଯେ ଥରେ ଲଦାଖ ଅଞ୍ଚଳ ପରିଦର୍ଶନ କରି ଚୀନ ସୀମାନ୍ତ ର ସମସ୍ୟା ଅନୁଧ୍ୟାନ କରିବାକୁ, ସେହିପରି ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନଙ୍କୁ ସଶକ୍ତ ହେବା ଦିଗରେ ପ୍ରେରଣା ଯୋଗାଇବା ପାଇଁ ରାହୁଲଙ୍କୁ ଅନୁରୋଧ କରାଯାଇଥିଲା ।
ପ୍ଲାନ ଅନୁଯାୟୀ ଗତ ଗୁରୁବାର ଦୁଇ ଦିନିଆ ଲଦାଖ ଗସ୍ତରେ ବାହାରି ଥିଲେ ରାହୁଲ । କିନ୍ତୁ ପାଙ୍ଗୱଙ୍ଗ ହ୍ରଦ, ନୁବ୍ରା ଭାଲି ଓ କାର୍ଗିଲ୍ ଜିଲ୍ଲା ଆଦି ଅଞ୍ଚଳ ପରିକ୍ରମା ପାଇଁ ଆଉ ୪ ଦିନ ଉକ୍ତ ଅଞ୍ଚଳରେ ରହିବାକୁ ସ୍ଥିର କରାଯାଇଥିଲା । ଏ ସମସ୍ତ ଦୃଷ୍ଟିରୁ ରାହୁଲଙ୍କ ଲଦାଖ ଯାତ୍ରା ହେଉଛି ଭାରତ ଯୋଡ଼ୋ ଯାତ୍ରାର ପୁନଃ ଆରମ୍ଭ । ଏଭଳି କହିଛନ୍ତି ଜୟରାମ ରମେଶ ।

ସେପଟେ ନିଜ ଗସ୍ତକୁ ନେଇ ରାହୁଲ ଖୁସି ବ୍ୟକ୍ତ କରିବା ସହ ଇନଷ୍ଟାରେ ଏକ ପୋଷ୍ଟ ଶେଆର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ ଭାରତ ଯୋଡ଼ୋ ଯାତ୍ରା ଦେଶର ସମସ୍ତ ବର୍ଗର ଲୋକଙ୍କ ହୃଦୟ ଓ ମାନସିକତାକୁ ରୋମନ୍ଥନ କରିଦେଇଛି । ଭାରତ ମାତା କି ଜୟ… ଏହି ଦେଶପ୍ରେମର ଅପୂର୍ବ ସ୍ୱର ଲେହର କୋଣେ କୋଣେ ଗୁଞ୍ଜରିତ ହୋଇଛି । ଯାହାକି ଐକତା ଏକ ଅପୂର୍ବ ନିଦର୍ଶନ । କୌଣସି ଶକ୍ତି ଏହି ସ୍ୱରକୁ ଚାପି ଦେଇପାରିବନି ବୋଲି ରାହୁଲ କହିବା ସହ ଲେହ ମେନ୍ ମାର୍କେଟରୁ ସେ ତାଙ୍କର ଏକ ଫଟୋ ଶେଆର୍ କରିଛନ୍ତି ।

ତେବେ ମଙ୍ଗଳବାର ରାହୁଲ ଗାନ୍ଧି ଲେହରୁ ବାଇକ ଯାତ୍ରା କରି ଲାମାୟୁରୁରେ ପହଞ୍ôଚ ଥିଲେ । ଲେହ ଟାଉନରୁ ବାହାରି ଲାମାୟୁରୁ ବୁଦ୍ଧିଷ୍ଟ ମୋନେଷ୍ଟରୀରେ ପହଞ୍ôଚବାକୁ ୧୩୦ କିଲୋମିଟର ଦୂର ଅତିକ୍ରମ କରିବାକୁ ପଡ଼ିଥିଲା ରାହୁଲଙ୍କୁ । ଏହି ପ୍ରାଚୀନ ବୌଦ୍ଧ ଧର୍ମସ୍ଥଳୀରେ ରାତ୍ରୀ ଯାପନ କରି ବୁଧବାର କାର୍ଗିଲ୍ ଜିଲ୍ଲା ଅନ୍ତର୍ଗତ ଜନସ୍କର ତହସିଲ୍ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ସେହିପରି ଗତ ଗୁରୁବାରରୁ ଲଦାଖ ଯାତ୍ରା ତଥା ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଥିବା ରାହୁଲ ଗାନ୍ଧି ଆସନ୍ତା ଗୁରୁବାର ବେଳକୁ କାର୍ଗିଲ୍ ଟାଉନରେ ପହଞ୍ôଚବେ ବୋଲି ଜଣାପଡ଼ିଛି ।

ତେବେ ରାହୁଲଙ୍କ ଏହି ଯାତ୍ରା ତାଙ୍କ ବିରୋଧୀ ରାଜନୀତିକ ଦଳଗୁଡ଼ିକ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ରାହୁଲ କିନ୍ତୁ ଦେଶର ଯୁବପିଢ଼ିଙ୍କୁ ଦେଇ ଚାଲିଛନ୍ତି ନୂତନ ପ୍ରେରଣା ଓ ଶକ୍ତିର ବାର୍ତ୍ତା । ଏବେ ଅପେକ୍ଷା ରାହୁଲଙ୍କ ପରବର୍ତ୍ତୀ କାର୍ଯ୍ୟକ୍ରମକୁ…

Related Articles

Back to top button
WP Twitter Auto Publish Powered By : XYZScripts.com