Breaking NewsFeaturedଓଡ଼ିଶା

ଖୋଲିଲା ହୀରାକୁଦର ୮ ଗେଟ୍

ଉପର ଭଣ୍ଡରେ ପ୍ରବଳ ବର୍ଷା । ପୁଣି ଖୋଲିଲା ହୀରାକୁର ଆଉ ୮ଟି ଗେଟ । ବୁଧବାର ଅପରାହ୍ନରେ ୨ଟି ଗେଟ ଖୋଲିଥିବା ବେଳେ ଆଜି ଆଉ ୮ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ହୀରାକୁଦର ଉପର ମୁଣ୍ଡରେ ବର୍ଷା ହେଉଥିବା ଯୋଗୁଁ ଜଳ ଭଣ୍ଡାରର ଜଳ ସ୍ତର ବଢିବାରେ ଲାଗିଛି । ଯେଉଁଥି ପାଉଁ ଡ୍ୟାମର ପୁଣି ୮ଟି ଗେଟ ଖୋଲାଯାଇଛି । ଡ୍ୟାମରେ ବର୍ତ୍ତମାନ ୧୦ ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୭୨ ଫୁଟରେ ପହଞ୍ଚିଛି । ହୀରାକୁଦକୁ ୧ ଲକ୍ଷ ୪୨ ହଜାର ୭୨ କୁ୍ୟସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୭୨ ହଜାର ୧୯୦ କୁ୍ୟସେକ ଜଳ । ସେହିପରି ତଳିଆ ଅଞ୍ଚଳରେ ପାଣି ପସିବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଅନ୍ୟପଟେ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ଲଗାଣ ବର୍ଷା ହେଉଛି । ରାତି ସାରା ବର୍ଷା ଲାଗି ରହିଛି ।

ପ୍ରବଳ ବର୍ଷା ଯୋଗୁଁ ଆସନ୍ତା ୩ ଘଣ୍ଟା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା ଏବଂ ଢେଙ୍କାନାଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଟ୍ୱିନ ସିଟି କଟକ ଏବଂ ଭନେଶ୍ୱର ସହରକୁ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବ । ସେହିପରି ଆଜି ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର, ଭଦ୍ରକ, କୋରାପୁଟ. ସମ୍ବଲପୁର, ବଲାଙ୍ଗୀର, ସୋନପୁର ଆଦି ଜିଲ୍ଲାରେ ବର୍ଷା ଲାଗି ରହିଛି । ସେହିପରି କଟକ, ନୟାଗଡ଼, ଅନୁଗୁଳ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସକ୍ରିୟ ଲଘୁଚାପ ପ୍ରଭାବରେ ଆସନ୍ତା ୧୬ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ ।

ଲଗାଣ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି । ରାୟଗଡ଼ା ଅମ୍ବାଡୋଲାରେ ୧୯୦ ମିଲମିଟର ବର୍ଷା ହୋଇଛି । କଳାହାଣ୍ଡିର ଲାଞ୍ଜିଗଡରେ ୧୬୦, ଦାରିଙ୍ଗବାଡ଼ିରେ ୧୩୦, ଚିତ୍ରକୋଣ୍ଡା କେ. ଗୁମ୍ମାରେ ୧୨୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ୧୬ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ସେହିପରି ତଳିଆ ଅଞ୍ଚଳରେ ଜଳବନ୍ଦୀ ହେଲେ ପାଣି ନିଷ୍କାସନ ସହ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ବର୍ଷା, ପବନ ଓ ବଜ୍ରପାତରେ ହୋଇଥିବା କ୍ଷୟକ୍ଷତିର ରିପୋର୍ଟ ପଠାଇବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com