Breaking NewsFeaturedକ୍ରୀଡ଼ା

ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ

ଏସିଆ କପର ଆଜି ସୁପର-୪ର ଶେଷ ମୁକାବିଲା । ଅପରାହ୍ନରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ । ଯଦିଓ ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଦୁଇ ଦଳ ମୁକାବିଲା ଜିତିବାକୁ ପ୍ରୟାସ କରିବେ । ସେପଟେ ସୁପର ୪ରେ ୨ଟି ଯାକ ମ୍ୟାଚ ହାରିଥିବା ବାଂଲାଦେଶ ବିଶ୍ୱକପ ପୂର୍ବରୁ ନିଜର ସାମର୍ଥ୍ୟ ପରୀକ୍ଷା କରିବାକୁ ମଇଦାନକୁ ଓହ୍ଲାଇବେ । ଫଳରେ ଉଭୟ ଦଳ ମଧ୍ୟରେ ପରୀକ୍ଷା ନିରୀକ୍ଷା କରିବାକୁ ଯଥେଷ୍ଟ ସୁଯୋଗ ପାଇବେ । କାରଣ ଆସନ୍ତା ମାସରେ ବିଶ୍ୱକପ ରହିଥିବାରୁ ଉଭୟ ଦଳ ପାଇଁ ଏହି ମ୍ୟାଚଟି ଉପଯୁକ୍ତ ଅଭ୍ୟାସ ଯୋଗାଇବ ବୋଲି କୁହାଯାଉଛି । ଭାରତୀୟ ଦଳ ଯଥାକ୍ରମେ ପାକିସ୍ତାନ ଓ ଶ୍ରୀଲଙ୍କାକୁ ହରାଇ ମନୋବଳ ଦୃଢ କରିଛି । ସୁପର ୪ରେ ଭାରତ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ସ୍ଥାନ ପକ୍କା କରିସାରିଛି । ତେଣୁ କିଛି ପ୍ରମୁଖ ଖେଳାଳିଙ୍କୁ ଫାଇନାଲ୍‌ ପର୍ୟ୍ୟନ୍ତ ଫିଟ୍‌ ରହିବାକୁ ବିଶ୍ରାମ ଦିଆଯାଇପାରେ । ସେହିପରି ଟପ ଫର୍ମରେ ରହିଛି ବ୍ୟାଟିଂ ବିଭାଗ । ଅଧିନାୟକ ରୋହିତ ଶର୍ମା ୩ଟି ଅର୍ଦ୍ଧଶତକ ନିଜ ନାମରେ ହାସଲ କରିସାରିଛନ୍ତି ।

ଶୁଭମନ ଗିଲ୍‌ ମଧ୍ୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ଶତକ ବ୍ୟତୀତ ଇଶାନ କିଷନ ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳି ଆଗାମୀ ବିଶ୍ୱକପ ପାଇଁ ପ୍ରସ୍ତୁତ ଥିବା ପ୍ରମାଣ ଦେଇଛନ୍ତି । ଉଭୟ ରାହୁଲ ଓ କିଷନ ମଧ୍ୟ କ୍ରମରେ ସଫଳ ହେବା ଫଳରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ବ୍ୟାଟିଂ କ୍ରମର ୪ନଂ ସ୍ଥାନ ଏକ ପ୍ରକାର ପୂରଣ ହୋଇଯାଇଛି । ଶ୍ରେୟାସ ଆୟରଙ୍କୁ ୪ନଂ ସ୍ଥାନ ପାଇଁ ଚୟନ କରାଯାଇଛି । କିନ୍ତୁ ତାଙ୍କ ପିଠିରେ ଯନ୍ତ୍ରଣା ହେବାରୁ ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚ୍‌ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା । ତାଙ୍କ ଅନୁପସ୍ଥିତିରେ କେଏଲ୍‌ ରାହୁଲ ଦଳରେ ସୁଯୋଗ ପାଇଥିଲେ । ବୁମ୍‌ରା ମଧ୍ୟ ଆହତରୁ ଫେରିବା ପରେ ଭଲ ପ୍ରଦର୍ଶନ ଦେଇଆସୁଛନ୍ତି। କିନ୍ତୁ ଶ୍ରୀଲଙ୍କା ବିପକ୍ଷରେ ବୋଲିଂ କରୁଥିବା ବେଳେ ରନ୍‌ ଅପ୍‌ରେ ତାଙ୍କ ଗୋଇଠି ସାମାନ୍ୟ ମୋଡ଼ି ହୋଇଯାଇଥିଲା । ଯଦିଓ ଏହାପରେ ସେ ଓଭର ଶେଷ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଡ୍ରେସିଂ ରୁମ୍‌ ଫେରିଯାଇଥିଲେ। ବିଶ୍ବକପ୍‌ ପାଇଁ ଏମାନେ ଦଳର ପ୍ରମୁଖ ଅସ୍ତ୍ର। ତେଣୁ ଏସିଆ କପ୍‌ ସମୟରେ ସାମାନ୍ୟତମ ଆହତ ଭାରତୀୟ ଦଳକୁ ମହଙ୍ଗା ପଡ଼ିପାରେ ।

ସେପଟେ ବାଂଲାଦେଶ ଏଥର ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଲିଗ୍‌ ଓ ସୁପର-୪ ରାଉଣ୍ଡକୁ ମିଶାଇ ବାଂଲାଦେଶ ୪ଟି ମ୍ୟାଚ୍‌ ଖେଳିସାରିଛି ଓ କେବଳ ଗୋଟିଏ ମ୍ୟାଚ୍‌ରେ ବିଜୟ ସ୍ୱାଦ ଚାଖିଛି । ଆସନ୍ତାକାଲି ଭାରତ ବିପକ୍ଷରେ ଜିତିବା ସହଜ ହେବ ନାହିଁ । ବାଂଲାଦେଶ ଦଳରେ ଆହତ ସମସ୍ୟା ଲାଗି ରହିଛି । ଯୁବ ଖେଳାଳିମାନେ ଦକ୍ଷତା ପ୍ରମାଣିତ କରିନାହାନ୍ତି । ଅଭିଜ୍ଞ ମୁସଫିକର ରହିମ ଆଗୁଆ ସ୍ୱଦେଶ ଫେରିଯାଇଥିବାରୁ ସେ ମ୍ୟାଚ ଖେଳିବେ ନାହିଁ । ମୋଟ ଉପରେ ଦେଖିବାକୁ ଗଲେ ବାଂଲାଦେଶ ଦଳର ବ୍ୟାଟିଂ ବିଭାଗ ଅପେକ୍ଷାକୃତ ଦୁର୍ବଳ । ସାକିବ ଅଲ୍‌ ହାସନ ଓ ଲିଟନ ଦାସଙ୍କ ଉପରେ ଦଳର ବ୍ୟାଟିଂ ବିଭାଗ ନିର୍ଭର କରିବ । ପ୍ରେମଦାସା ଷ୍ଟାଡିୟମ୍‌ ଇତି ମଧ୍ୟରେ ୪ଟି ମ୍ୟାଚ୍‌ ଆୟୋଜନ କରିସାରିଛି । ତେଣୁ ପିଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ପିଚ୍‌ ମନ୍ଥର ହେବା ନିଶ୍ଚିତ । ତେଣୁ ଟସ୍ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com