Breaking Newsଅନ୍ତର୍ଜାତୀୟସ୍ୱାସ୍ଥ୍ୟ

ପୁଣି ଚୀନକୁ ନେଇ ଚିନ୍ତା, କୋଭିଡ ପରେ ଏବେ ମଷ୍ଟ୍ରିୟସ ନିମୋନିଆ

ପୁଣି ବିଶ୍ୱ ବାସୀଙ୍କ ଚିନ୍ତା ବଢାଇଲା ଚୀନ । କୋଭିଡ ପରେ ଏବେ ଚୀନରେ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି ଅଜଣା ରୋଗର ସଂକ୍ରମଣ । ଯାହାର ନାମ ହେଉଛି ମଷ୍ଟ୍ରିୟସ ନିମୋନିଆ ।

ଏହି ଭୟଙ୍କର ରୋଗ ଏବେ ସମସ୍ତଙ୍କ ନିଦ ହଜେଇ ଦେଇଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କରୋନା ପରି ଏହି ରୋଗ ପୁଣି ଥରେ ଜୀବନଧାରାକୁ ଆଟକାଇ ଦେବନି ତ ? କାରଣ ଚୀନରେ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି ଏହି ଅଜଣା ରୋଗର ସଂକ୍ରମଣ । ଏହି ରୋଗ ହେବା ଦ୍ୱାରା ଲଙ୍ଗସରେ ଯନ୍ତ୍ରଣା ଏବଂ ନିଃଶ୍ୱାସ ନେବାରେ ସମସ୍ୟା ସାଙ୍ଗକୁ ଜ୍ୱର ହେଉଛି । ଏସବୁ ସମସ୍ୟା ସହ ଏବେ ଲଢୁଛନ୍ତି ଉତ୍ତରପୂର୍ବ ଚୀନର ଲିୟାଓନିଂ ପ୍ରାନ୍ତରର ପିଲାମାନେ । ତେବେ ସଂକ୍ରମଣ ଏତେ ମାତ୍ରାରେ ବଢିଯାଇଛି ଯେ ଡାକ୍ତରଖାନାରେ ମଧ୍ୟ ବେଡର ଅଭାବ ଦେଖା ଦେଇଛି ।

ଚୀନରେ ପରିସ୍ଥିତିକୁ ଦେଖି ସ୍କୁଲ ଛୁଟି କରି ଦିଆଯାଇଛି । ଯେଉଁ ଇଲାକାରେ ଏହି ରୋଗ ବ୍ୟାପିବାରେ ଲାଗିଛି ତାହା ବେଜିଂଠାରୁ ୭୦୦ କିଲୋମିଟର ଦୂର । ଏପରକି ବେଜିଂରେ ମଧ୍ୟ ଏପରି କେସ ଦେଖା ଦେଲାଣି । ତେବେ ଏହି ରୋଗର ପ୍ରଭାବ ବେଶି ଲିୟାଓନିଂରେ ଦେଖିବାକୁ ମିଳୁଛି ।

ଚୀନରେ ଦେଖା ଦେଇଥିବା ଏହି ଅଜଣା ରୋଗ କିଛି ମାତ୍ରାରେ ନିମୋନିଆ ପରି । ହେଲେ ଏହାର ସଂକ୍ରମଣର ପ୍ରଭାବ ନିମୋନିଆଠାରୁ ଢେର ଅଧିକ । ଏହି ରୋଗ ବିଶେଷ କରି ପିଲାମାନଙ୍କୁ ହେଉଥିବା ଦେଖିବାକୁ ମିଳିଛି । ତେବେ ଭୟ ହେଉଛି ଯେ ଏହି ରୋଗ କାଳେ ମହାମାରୀ ପରି ବ୍ୟାପି ଯିବ । କାରଣ ୨୦୧୯ରେ ବୁହାନରେ ଏମିତି ସ୍ଥିତି ଦେଖିବାକୁ ମିଳିଥିଲା ଏବଂ କରୋନା ସାରା ବିଶ୍ୱକୁ ଗ୍ରାସ କରିଥିଲା ।

ଏହି ରହସ୍ୟମୟୀ ରୋଗ ସାମ୍ନାକୁ ଆସିବା ପରେ ଚୀନ ଉପରେ ପୁଣି ସନ୍ଦେହ ବଢିଛି । କରୋନା ପରି ଏହି ରୋଗ ବ୍ୟାପିବନି ତ ! କାରଣ କୋଭିଡ-୧୯ ସଂକ୍ରମଣ ଉପରେ ହୋଇଥିବା ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ଯେ ବୁହାନର ଏକ ଲାବରୁ କରୋନା ବ୍ୟାପିଥିଲା । ତେଣୁ ଏବେ ସମସ୍ତଙ୍କ ମନରେ ସମାନ ପ୍ରଶ୍ନ । ଏହି ରହସ୍ୟମୟୀ ନିମୋନିଆ ଚୀନର କେଉଁ ପରୀକ୍ଷାଗାରରୁ ପୁଣି ବାହାରିନି ତ ? ସେପଟେ ଏହି ଅଜଣା ରୋଗକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସତର୍କ କରିଛି । ଏହି ରୋଗକୁ ନେଇ ଏବେ ଭାରତରେ ମଧ୍ୟ ଚିନ୍ତା ବଢିବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com