Breaking NewsFeaturedରାଜନୀତି

ସବୁ ରାଜ୍ୟରେ କଂଗ୍ରେସ ବଦଳାଇଲା ପ୍ରଭାରୀ । ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ୱ ।

୨୦୨୪ ନିର୍ବାଚନ ପାଇଁ ଗଡ ସଜାଡୁଛି କଂଗ୍ରେସ । କରିଛି ବଡ ଧରଣର ପରିବର୍ତନ । ସଂଗଠନରେ ହୋଇଛି ଅଦଳବଦଳ । ୩ରାଜ୍ୟରେ ପରାଜିତ ପରେ ଏଭଳି ରଣନୀତି ଆପଣେଇଛି ଦଳ । ଏଥିରେ ରହିଥିବା ତ୍ରୁଟିକୁ ସଜାଡି କର୍ଣ୍ଣାଟକ ଫର୍ମୁଲାରେ ଦଳ ଆଗଯିବାକୁ ପ୍ରସ୍ତୁତ ହେଉଛି । ଏ ଦୃଷ୍ଟିରୁ ବହୁ ମାନସ ମନ୍ଥନ ପରେ ନିଜ ଟିମର ରୂପ ରେଖ ବଦଳାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ । ୧୨ ନୂଆ ମହାସଚିବ ଓ ୧୨ନୂଆ ପ୍ରଦେଶ ପ୍ରଭାରୀ ନିଯୁକ୍ତ କରିଛନ୍ତି । ଆସନ୍ତୁ ଦେଖିବା କାହାକୁ, କେଉଁଠି ମିଳିଛି କେଉଁ ଦାୟିତ୍ୱ ।

ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ କରାଯାଇଛି କଂଗ୍ରେସ ମହାସଚିବ । ଏଥିସହ ତାଙ୍କୁ ଛତିଶଗଡ଼ ପ୍ରଭାରୀ ଦାୟିତ୍ୱ ନ୍ୟସ୍ତ କରିଛି ଦଳ । ସେହିପରି ସାଧାରଣ ସମ୍ପାଦକ ଅବିନାଶ ପାଣ୍ଡେଙ୍କୁ ଉତ୍ତର ପ୍ରଦେଶର ପ୍ରଭାରୀ ନିଯୁକ୍ତ କରାଯାଇଛି। ଅନ୍ୟପଟେ ଦଳର ବରିଷ୍ଠ ନେତା ମୁକୁଲ ୱାସନିକଙ୍କୁ ଗୁଜରାଟ ପ୍ରଦେଶ କଂଗ୍ରେସର ପ୍ରଭାରୀ କରାଯାଇଥିବା ବେଳେ ରଣଦୀପ ସିଂହ ସୁରେଜୱାଲାଙ୍କୁ କର୍ଣ୍ଣାଟକା ଦାୟିତ୍ୱ ଦିଆଯାଇଛି। ଡାକ୍ତର ଅଜୟ କୁମାରଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ କରାଯାଇଥିବା ବେଳେ ତାମିଲନାଡୁ ଓ ପୁଡଉଚେରୀରର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଜୟରାମ ରମେଶଙ୍କୁ ସାଧାରଣ ସଂପାଦକ କରାଯାଇ କମ୍ୟୁନିକେସନ ଦାୟିତ୍ୱ ଦିଆଯାଇଛି। କେ.ସି ବେଣୁଗୋପାଳ ପୂର୍ବପରି ସାଧାରଣ ସମ୍ପାଦକ ଭାବେ ସଂଗଠନ ଦାୟିତ୍ୱରେ ରହିବେ।

ଅନ୍ୟତମ ବରିଷ୍ଠ ନେତା ଅଜୟ ମାକେନ ଏଆଇସିସିର କୋଷାଧ୍ୟକ୍ଷ ଭାବେ ତାଙ୍କ କାର୍ୟ୍ୟ ଜାରି ରଖିବେ। ଏହାସହ ଜିଏସ୍ ମୀର ଝାରଖଣ୍ଡ ପ୍ରଦେଶ କଂଗ୍ରେସର ପ୍ରଭାରୀ ଭାବେ ନିଯୁକ୍ତି ପାଇଥିବା ବେଳେ ପଶ୍ଚିମବଙ୍ଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଦୀପା ଦାସମୁନସୀଙ୍କୁ କେରଳ, ଲାକ୍ଷାଦୀପର ପ୍ରଭାରୀ କରାଯାଇଥିବା ବେଳେ ତେଲେଙ୍ଗାନାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ରମେଶ ଚେନ୍ନିଥାଲାଙ୍କୁ ମହାରାଷ୍ଟ୍ର, ମୋହନ ପ୍ରକାଶଙ୍କୁ ବିହାର, ଡାକ୍ତର ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଓ ଅରୁଣାଚଳ ପ୍ରଦେଶ କଂଗ୍ରେସର ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି।

ଜମ୍ମୁ ଓ କଶ୍ମୀରର ଦାୟିତ୍ୱ ଭାରତୀସିଂହ ସୋଲାଙ୍କିଙ୍କୁ ଦିଆଯାଇଥିବା ବେଳେ ରାଜୀବ ଶୁକ୍ଳାଙ୍କୁ ହିମାଚଳ ପ୍ରଦେଶ, ଚଣ୍ଡିଗଡ଼, ସୁଖଜିନ୍ଦର ସିଂହ ରାନ୍ଧ୍ୱାଙ୍କୁ ରାଜସ୍ଥାନ ଦେବେନ୍ଦ୍ର ଯାଦବଙ୍କୁ ପଞ୍ଜାବ ଦାୟିତ୍ୱ ଦିଆଯାଇଛି। ମାନିକରାଓ ଠାକରେଙ୍କୁ ଗୋଆ, ଡାମନ ଓ ଡିଉ ଏବଂ ଦାଦରା ଓ ନଗର ହବେଲୀ ଦାୟିତ୍ୱ ଦିଆଯାଇଥିବା ବେଳେ ଗିରୀଶ ଚୋଡ଼ନକର୍ମଙ୍କୁ ତ୍ରିପୁରା, ସିକ୍କିମ, ମଣିପୁର ଓ ନାଗାଲାଣ୍ଡ ଦାୟିତ୍ୱ ଦିଆଯାଇଛି। ମନିକମ ଟାଗୋରଙ୍କୁ ଆନ୍ଧ୍ର ପ୍ରଦେଶ, ଆଣ୍ଡାମାନ ଓ ନିକୋବାରର ପ୍ରଭାରୀ କରାଯାଇଛି। ସିଡବ୍ଲ୍ୟୁସି ବୈଠକର ଦୁଇ ଦିନ ପରେ ଦଳ ଏଭଳି ପରିବର୍ତ୍ତନ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com