
ଭୁବନେଶ୍ୱର ,ଓଡ଼ିଶାରୁ ରାଜ୍ୟସଭାର ୪ଟି ଆସନ ଏପ୍ରିଲ ପ୍ରଥମ ସପ୍ତାହରେ ଖାଲି ହେବାକୁ ଯାଉଛି । ତେବେ ଚଳିତ ମାଓ ଶେଷ ସପ୍ତାହରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାକୁ ନେଇ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ଗତିବିଧି ବଢିଲାଣି । ରାଜ୍ୟସଭାରେ ବର୍ତ୍ତମାନ ବିଜେଡିର ୭ ଓ ବିଜେପିର ୩ ସାଂସଦ ରହିଛନ୍ତି । ଆସନ୍ତା ଏପ୍ରିଲ ୨ରେ ବିଜେପିର ସୁଜିତ କୁମାର ଓ ମମତା ମହନ୍ତ ଏବଂ ବିଜେଡିର ମୁଜିବୁଲ୍ଲା ଖାନ୍ ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେବ।ରାଜ୍ୟସଭା ନିର୍ବାଚନରେ ୩ସିଟ୍ ଦଖଲ କରିବ ବିଜେପି । ଏନେଇ ଦମ୍ଭୋକ୍ତି ଦେଖାଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲି ସିଂହ ତୋମାର । ୩ଟି ସିଟ୍ ଦଖଲ କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଥିବା ସେ କହିଛନ୍ତି । ପ୍ରାର୍ଥୀ କିଏ ହେବ ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବ ବୋଲି କହିଛନ୍ତି ତୋମାର ।ବର୍ତ୍ତମାନ ବିଧାନସଭାରେ ବିଜେପିର ୭୯, ବିଜେଡିର ୫୦, କଂଗ୍ରେସର ୧୪ ବିଧାୟକ ଅଛନ୍ତି। ତିନିଜଣ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ କରୁଛନ୍ତି। ସଂଖ୍ୟା ଆଧାରରେ ୩ଟି ଆସନ ପାଇଁ ବିଜେପି ଓ ବିଜେଡି ପାଖରେ ସ୍ପଷ୍ଟ ବହୁମତ ଥିବାରୁ ୪ର୍ଥ ଆସନକୁ ନେଇ ରାଜନୈତିକ ଛକାପଞ୍ଜା ସୃଷ୍ଟି ହୋଇପାରେ।




