ଓଡ଼ିଶା

ଭିଜିଲାନ୍ସ ଜାଲରେ ପୂର୍ବତନ କଲେଜ ଅଧ୍ୟକ୍ଷ, କୋଟି କୋଟି ଟଙ୍କା ଆତ୍ମସାତ ଅଭିଯୋଗରେ ରେଡ୍

ଧର୍ମଗଡ଼() ଭିଜିଲାନ୍ସ ଜାଲରେ ପୂର୍ବତନ ମହାବିଦ୍ୟାଳୟ ଅଧ୍ୟକ୍ଷ । କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମେଶ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଓ ମହାବିଦ୍ୟାଳୟରେ କୋଟିକୋଟି ଟଙ୍କା ହେରଫେର ଅଭିଯୋଗରେ ଚଢାଉ ଜାରି ରହିଛି । ଭିଜିଲାନ୍ସ ଇନ୍ସପେକ୍ଟର ପ୍ରମିଳା ସୁନାଙ୍କ ନେତୃତ୍ୱରେ ରମେଶ ସାହୁଙ୍କ ବିଶ୍ୱନାଥପୁର ସ୍ଥିତ ବାସଭବନରେ ଚଢାଉ କରାଯାଇଥିବା ବେଳେ ତାଙ୍କ ଭୁବନେଶ୍ୱର ଆର୍ଯ୍ୟ ଭିଲେଜ ସ୍ଥିତ ବାସଭବନ ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା କ୍ରସର ଉପରେ ମଧ୍ୟ ଭିଜିଲାନ୍ସର ଟିମ୍ ଚଢାଉ କରିଛି।

ସୂଚନା ଅନୁଯାୟୀ, ରମେଶ ସାହୁ ବିଶ୍ୱନାଥପୁର ସ୍ଥିତ ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ଥିଲେ । ଏହି ସମୟରେ ମହାବିଦ୍ୟାଳୟର କୋଟି କୋଟି ଟଙ୍କା ଚଳୁ କରିଥିବା ସହିତ ଚାକିରି କରାଇଦେବା ନାଁରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା ।

ଏପରିକି ଅଭିଯୋଗ ପରେ ସେ ଫେରାର ହୋଇଯାଇଥିଲେ । ପରେ ପୁଲିସ ହାତରେ ଧରାପଡି ଜେଲ ଯାଇଥିଲେ । ସେହିଦିନ ଠାରୁ ତାଙ୍କର ପତ୍ନୀଙ୍କ ନାମରେ ଥିବା ବେନାମୀ ସମ୍ପତ୍ତି ଭିଜିଲାନ୍ସ ସ୍କାନର ରହିଥିଲା । ଫଳରେ ସୋମବାର ସକାଳ ଛଅଟାରୁ ତାଙ୍କ ଘରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଚଢାଉ କରିଛି । ଚଢାଉ ଶେଷ ହେବା ପରେ ସମ୍ପତ୍ତି ଆକଳନ ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ଅଧିକାରୀ ପ୍ରକାଶ କରିଛନ୍ତି l

Related Articles

Back to top button
WP Twitter Auto Publish Powered By : XYZScripts.com