ଓଡ଼ିଶା

ୟୁକ୍ରେନରେ ଫସି ରହିଛନ୍ତି ରାଉରକେଲାର ୨୦ ଓ ଢେଙ୍କାନାଳର ୨ ମେଡିକାଲ ଛାତ୍ରଛାତ୍ରୀ

ରାଉରକେଲା/ଢ଼େଙ୍କାନାଳ: ୟୁକ୍ରେନ ବିରୋଧରେ ଆଜି ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । ପୁତିନ୍ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ । ୟୁକ୍ରେନର ରାଜଧାନୀ କିଭ୍ ସହ ୧୦ଟି ସହରରେ ଜୋରଦାର ଆକ୍ରମଣ ଜାରି ରହିଛି। ତେବେ ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ଫସି ରହିଛନ୍ତି । ଓଡ଼ିଶାରୁ ମଧ୍ୟ କିଛି ଛାତ୍ରଛାତ୍ରୀ ଏବେ ୟୁକ୍ରେନରେ ଫସି ରହିଥିବା ଖବର ମିଳିଛି।

ୟୁକ୍ରେନରେ ଫସି ରହିଛନ୍ତି ରାଉରକେଲାର ୨୦ ଓ ଢେଙ୍କାନାଳର ୨ ମେଡିକାଲ ଛାତ୍ରଛାତ୍ରୀ ଫସିରହିଥିବା ଜଣାପଡ଼ିଛି। ରାଉରକେଲାର ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ୟୁକ୍ରେନର ବିଭିନ୍ନ ସହରରେ ଥିବା ମେଡିକାଲ କଲେଜରେ ପାଠ ପଢୁଛନ୍ତି। ୨୦ ଜଣ ଛାତ୍ରଛାତ୍ରୀ ରାଉରକେଲାର ବାସନ୍ତୀ କଲୋନୀ, ଛେଣ୍ଡ, ସେକ୍ଟର -୪, ସେକ୍ଟର-୧୮, ସେକ୍ଟର -୧୯, ସେକ୍ଟର-୨୦, ଜଗଦା, ଫାର୍ଟିଲାଇଜର, କୋଏଲନଗର ଅଞ୍ଚଳର ବୋଲି ଜଣାପଡ଼ିଛି । ସେଠାରେ ସମସ୍ତେ ହଷ୍ଟେଲରେ ଥିବାବେଳେ ଯୁଦ୍ଧ ପାଇଁ ମେସ ବନ୍ଦ ହୋଇସାରିଲାଣି। ଏବେ ସମସ୍ତଙ୍କୁ ବଙ୍କରକୁ ନେବାକୁ ସେଠାକାର ସରକାର ସମସ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେକ୍ଟର-୪, ବି’ ବ୍ଲକରେ ରହୁଥିବା ଜଣେ ଆରଏସପି କର୍ମଚାରୀଙ୍କ ଝିଅ ସଲୋନୀ ଜେନା ଏବେ ଖାର୍କିଭ ନେସନାଲ ମେଡିକାଲ ୟୁନିଭର୍ସିଟିରେ ପଞ୍ଚମ ବର୍ଷ ଛାତ୍ରୀ।

ସେହିଭଳି ଢେଙ୍କାନାଳ ସହରର ଗୋବିନ୍ଦପୁରର ନିବାସୀ ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରୀତ ସ୍ୱାଇଁ ଓ ବାଇପାସ ନିବାସୀ ଆଦିତ୍ୟ ମହାପାତ୍ରଙ୍କ ପୁତ୍ର ଆଶାଦିତ ମହାପାତ୍ର ମଧ୍ୟ ୟୁକ୍ରେନରେ ଫସି ରହିଛନ୍ତି। ଦୁଇ ଜଣ ମେଡିକାଲ ବିଭାଗରେ ପଢିବା ପାଇଁ ୟୁକ୍ରେନ ଯାଇଥିଲେ। ଅଶାଦିତ ତୃତୀୟ ବର୍ଷର ମେଡିକାଲ ଛାତ୍ର ହୋଇଥିବା ବେଳେ ଟିକେଟ ନମିଳିବାରୁ ଆଶାଦିତ ୟୁକ୍ରେନରୁ ଫେରି ପାରିନାହାନ୍ତି। ସେହିଭଳି ଗୋବିନ୍ଦପୁର ଗାଁର ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରୀତ ସ୍ୱାଇଁ ୟୁକ୍ରେନର ବିନିସ୍ତାରେ ଫସିରହିଛନ୍ତି । ତିନିମାସ ତଳେ ସେ ଏମବିବିଏସ ପଢ଼ିବା ପାଇଁ ଯାଇଥିଲେ । ୨୦ ବର୍ଷୀୟ ସୁପ୍ରୀତ ସ୍ୱାଇଁ ବିନିସ୍ତା କଲେଜରେ ଏବେ ରହୁଥିବା ବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ସ୍ୱାଇଁଙ୍କ ସହ ଆଜି  କଥା ହୋଇଛନ୍ତି । କଲେଜ ପକ୍ଷରୁ ତାଙ୍କୁ ପ୍ରସ୍ତୁତ ହୋଇ ରହିବା ପାଇଁ କୁହାଯାଇଛି । ଯେ କୌଣସି ମୂହୁର୍ତ୍ତରେ ତାଙ୍କୁ ବିମାନରେ ପଠାଯାଇପାରେ ବୋଲି ତାଙ୍କ କଲେଜ ତରଫରୁ କୁହାଯାଇଥିବା ସୁପ୍ରୀତଙ୍କ ମା’ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com