ଓଡ଼ିଶା

ମହାପ୍ରଭୁଙ୍କ ପାଖରେ ଲାଗି ହେଲା ନୂତନ ପଞ୍ଜିକା, ଜାଣନ୍ତୁ ଜ୍ୟୋତିର୍ବିଦଙ୍କ କଣ ରହିଛି ଗଣନା

ପୁରୀ() ଆଜି ପଣା ସଂକ୍ରାନ୍ତି ଅବସରରେ ନୂତନ ପଞ୍ଜିକା ଓଡିଶାରେ ଲାଗୁ ହେଉଥିବାରୁ ଏହାକୁ ଓଡ଼ିଆ ନବ ବର୍ଷ ଭାବେ ପାଳନ କରାଯାଉଛି। ଦୋଳ ପୂର୍ଣ୍ଣିମାରେ ନୂତନ ପଞ୍ଜିକା ମହାପ୍ରଭୁଙ୍କ ଠାରେ ପୂଜା ପାଇଁ ଲାଗି ହୋଇଥିଲା। ତେଣୁ ନୂତନ ପଞ୍ଜିକା ଅନୁଯାୟୀ ଆଜିଠାରୁ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ସମେତ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ନେଇ ଧାର୍ଯ୍ୟ ହୋଇଥିବା ଦିବସ ଅନୁଯାୟୀ ସବୁ ସାମାଜିକ କାର୍ଯ୍ୟ ହୋଇଥାଏ। ତେବେ ନୂତନ ପାଞ୍ଜି ଅନୁସାରେ ଶ୍ରୀମନ୍ଦିରରେ ନୂତନ ସମସ୍ୟା ସବୁ ମୁଣ୍ଡ ଟେକିବା ଏବଂ ରାଜ୍ୟ ରାଜନୀତି କ୍ଷେତ୍ରରେ ପରିବର୍ତ୍ତନ ଆସିବା ସହ ଦେଶ ତଥା ରାଜ୍ୟ ପାଇଁ ସେଭଳି କିଛି ଅଶୁଭ ନଥିବା ଜ୍ୟୋତିର୍ବିଦ ମତ ରଖିଛନ୍ତି।

ଜ୍ୟୋତିର୍ବିଦଙ୍କ ପାଞ୍ଜି ଗଣନା ଅନୁସାରେ ଏଥର ରାଜ୍ୟରେ ସ୍ବାସ୍ଥ୍ୟସେବାର ଉନ୍ନତି ଘଟିବ। ରାଜନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେବ। ରାଜ୍ୟ ସରକାରଙ୍କ‌ ଲୋକ ପ୍ରତିନିଧି ତଥା ସରକାରୀ ଅଧିକାରୀମାନେ ଦୁର୍ନୀତି ଗ୍ରସ୍ତ ହେବେ। ମନ୍ତ୍ରୀ ମଣ୍ଡଳ ଏବଂ ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ ଅଦଳବଦଳ ହେବ। ତେଣୁ ରାଜ୍ୟ ସରକାରଙ୍କୁ କଠୋର ପଦକ୍ଷେପ ନେବାକୁ ପଡିବ। ସେହିପରି ଦେଶର ଆଞ୍ଚଳିକ ପ୍ରାଦେଶ ସ୍ଥଳରେ କିଛି ସମସ୍ୟା ସୃଷ୍ଟି ହେଲେ ମଧ୍ୟ ଏହାର ସମାଧାନ ହୋଇଯିବ। କେନ୍ଦ୍ର ସରକାରଙ୍କ ଟିକସ ବୃଦ୍ଧି ଯୋଗୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଛା ରାଶି ଯୋଗୁ ପଞ୍ଚମରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ତାଙ୍କର ଜନପ୍ରିୟତା ବୃଦ୍ଧି ପାଇବ ବୋଲି ବରିଷ୍ଠ ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର କହିଛନ୍ତି।

ବିଶେଷତଃ ବର୍ଷ ସାରା ଶନି ଏବଂ ବୃହସ୍ପତି ସ୍ବଗୃହରେ ଅବସ୍ଥାନ କରୁଥିବାରୁ ଶ୍ରୀମନ୍ଦିରରେ ବିଭିନ୍ନ ସମସ୍ୟାମାନ ମୁଣ୍ଡ ଟେକିବ । ଅନ୍ୟପଟେ ଜୁଲାଇ ଠାରୁ ଅକ୍ଟୋବର ମାସ ମଧ୍ୟରେ ବାତ୍ୟା ହେଲେ ମଧ୍ୟ ଏହା ବିଶେଷ ଧନ ଜୀବନ ହାନି କରିବ ନାହିଁ । ଭଲ ବର୍ଷା ହେବ କିନ୍ତୁ ଚାଷୀ ମାନଙ୍କର କୌଣସି କ୍ଷତି ହେବ ନାହିଁ । ଅନ୍ୟ ଫସଲ ଅପେକ୍ଷା ଶୁକ୍ଳ ଅର୍ଥାତ୍ ଧଳା ଧାନ ଫସଲ ଭଲ ହେବ । ସେହିପରି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଖୁବଶୀଘ୍ର ଅବସାନ ଘଟିବ । ଆଉ ଏଥିରେ ଭାରତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କିନ୍ତୁ ଦେଶ ଦେଶ ମଧ୍ୟରେ ସାମରିକ ପ୍ରତିଯୋଗିତା ଲାଗି ରହିବ । ଚଳିତ ଅପ୍ରେଲ ମାସ ଶେଷ ସୁଦ୍ଧା କରୋନା ମହାମାରୀ ସମ୍ପୁର୍ଣ୍ଣ ଲୋପ ପାଇଯିବ ବୋଲି କହିଛନ୍ତି ଜ୍ୟୋତିର୍ବିଦ ।

ଆଜି ପ୍ରଚଳନ କରାଯାଇଥିବା ପଞ୍ଜିକା ବର୍ଷସାରା ପ୍ରଚଳିତ ହେବାକୁ ଥିବାବେଳେ ଏଥିରେ ବିଶେଷ କରି ଯାନିଯାତ୍ରା, ପର୍ବପର୍ବାଣୀ, ଅମୃତ ବେଳା, ପୂଜା ପଦ୍ଧତି, ବିବାହ, ବ୍ରତୋପନୟନ, ସୂର୍ଯ୍ୟପରାଗ, ଚନ୍ଦ୍ରଗ୍ରହଣ ତିଥି ଆଦି ସ୍ପଷ୍ଟ ଲେଖା ରହିଥିବାରୁ ଏହାକୁ ପଞ୍ଜିକା ଦ୍ବାରା ଜାଣି ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com