ଜାତୀୟ

ଶିବ ଲିଙ୍ଗ ସୁରକ୍ଷିତ ରଖି, ନମାଜ ପାଇଁ ବାଧା ଦିଅନି :ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜ୍ଞାନବାପି ମସଜିଦ ପରିସ‌ରରୁ ଶିବଲିଙ୍ଗ ମିଳିବା ପରେ ଉକ୍ତ ଅଂଚଳକୁ ସିଲ୍ କରିବାକୁ ବାରଣାସୀ କୋର୍ଟ ଆଦେଶ ଦେଇଛନ୍ତି ।ବୁଧବାର ସୁପ୍ରିମ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ ମସଜିଦ ପରିସରରେ ନମାଜ ପାଠ କରିବା ସହ ମୁସଲିମଙ୍କ ପ୍ରବେଶ ଉପରେ କୌଣସି କଟକଣା ରହିବ ନାହିଁ। ଏଥିସହିତ ଉକ୍ତ ମାମଲାର ଶୁଣାଣିକୁ ଆସନ୍ତା ଗୁରୁବାରକୁ ସ୍ଥଗିତ ରଖିଛନ୍ତି ସୁପ୍ରିମ କୋର୍ଟ । କାଶୀ ବିଶ୍ବନାଥ ମନ୍ଦିର ନିକଟରେ ଥିବା ଜ୍ଞାନବାପି ମସଜିଦ ପରିସ‌ରରେ ଭିଡିଓଗ୍ରାଫି ସର୍ଭେ ପାଇଁ ବାରଣାସୀ ଜିଲ୍ଲା କୋର୍ଟ ଦେଇଥିବା ଆଦେଶକୁ ଚ୍ୟାଲେଞ୍ଜ କରି ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଏହି ମାମଲାର ଶୁଣାଣି କରି ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ପିଏସ ନରସିଂହାଙ୍କୁ ନେଇ ଗଠିତ ଖଣ୍ଡପୀଠ ହିନ୍ଦୁପକ୍ଷର ଆବେଦନକାରୀ ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ତେବେ ବାରଣାସୀ କୋର୍ଟଙ୍କ ଭିଡିଓଗ୍ରାଫି ସର୍ଭେ ଏବଂ ଶିବଲିଙ୍ଗ ମିଳିଥିବା ଅଞ୍ଚଳକୁ ସିଲ୍ କରାଯିବା ରାୟ ଉପରେ ରହିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଭିଡିଓଗ୍ରାଫି ସର୍ଭେ ରିପୋର୍ଟ ଦାଖଲ ପାଇଁ ସୁପ୍ରିମକୋର୍ଟ ଦୁଇଦିନ ସମୟ ପ୍ରଦାନ କରିଛନ୍ତି। ଶିବଲିଙ୍ଗ ମିଳିବା ନେଇ ହିନ୍ଦୁପକ୍ଷର ଆଇନଜୀବୀ ଯେଉଁ ଯୁକ୍ତି ବାଢ଼ିଥିଲେ ତାହାକୁ ମୁସଲିମ ପକ୍ଷର ଆଇନଜୀବୀ ବିରୋଧ କରିଥିଲେ।
ଅନ୍ୟପକ୍ଷରେ ବାରଣାସୀ ଅଦାଲତ ସର୍ଭେ ରିପୋର୍ଟ ଦାଖଲ କରିବା ପାଇଁ କମିସନଙ୍କୁ ଦୁଇ ଦିନ ସମୟ ପ୍ରଦାନ କରିଛନ୍ତି। ଅଦାଲତ ଆଡଭୋକେଟ କମିସନର ଅଜୟ କୁମାର ମିଶ୍ରଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି। ଫଳରେ ସ୍ବତନ୍ତ୍ର ଆଡଭୋକେଟ କମିସନର ବିଶାଳ ସିଂହ ଦୁଇ ଦିନ ମଧ୍ୟରେ କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କରିବେ। ଗତକାଲିର ରାୟ ପରେ ମସଜିଦ୍ ନିକଟରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com