ଓଡ଼ିଶା

ପ୍ରତିଶ୍ରୁତି ରଖିଲାନି ପ୍ରଶାସନ : ଟାଓ୍ୱାର ବସାଇବା ଦାବିରେ ଜାତୀୟ ରାଜପଥ ଅବରୋଧ ଧମକ ଦେଲେ ଗ୍ରାମବାସୀ

ଦେବଗଡ: ଦାବି ପୂରଣ ହେଲାନି । ରାସ୍ତାକୁ ଓହ୍ଲାଇବେ ଉତ୍ତ୍ୟକ୍ତ ଗ୍ରାମବାସୀ ।  ଆସନ୍ତା ଜୁନ ଏକ ତାରିଖ ବୁଧବାର ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ କୈଳାଶ ଛକଠାରେ ୪୯ ନମ୍ବର ଜାତୀୟ ରାଜପଥରେ ରାସ୍ତାରୋକ ଧମକ ଦେଇଛନ୍ତି ଲଇମୁରାବାସୀ।

ସୂଚନାନୁସାରେ, ଦେବଗଡ ଜିଲ୍ଲାର ଅପହଞ୍ଚ ଇଲାକା ଭାବେ ପରିଚିତ ଲଇମୁରା ଅଞ୍ଚଳ । ଏଠାକାର ପାଞ୍ଚଟି ଗ୍ରାମ ପଞ୍ଚାୟତ ଅଧିବାସୀ ରାସ୍ତାରୋକ ଚେତାବନୀ ଦେଇଛନ୍ତି।  ପାରପୋଷୀ, ଝରାଗୋଗୁଆ, ଗଣ୍ଡମ, ଝାରମୁଣ୍ଡା ଓ ଡିମିରିକୁଦା ଗ୍ରାମ ପଞ୍ଚାୟତବାସୀ ମୋବାଇଲ ଟାୱାର ନିର୍ମାଣ ଦାବି କରି ଏହି ରାସ୍ତାରୋକ ଚେତାବନୀ ଦେଇଛନ୍ତି ।

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଏହି ସବୁ ଗ୍ରାମବାସୀ ମୋବାଇଲ ଟାୱାର ନଥିବା ଯୋଗୁଁ ଭୋଟ୍ ବର୍ଜନ ନିଷ୍ପତ୍ତି ନେଇଥିଲେ । ପରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଟାଓ୍ୱାର ବସାଇବା ନେଇ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଫଳରେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରାର୍ଥୀ ପତ୍ର ଦାଖଲ ହୋଇପାରିଥିଲା ।  ଇତିମଧ୍ୟରେ ଦୁଇ ମାସ ବିତିଯାଇଥିଲେ ସୁଦ୍ଧା ମୋବାଇଲ ଟାୱାର ବସାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଯାହାକୁ ନେଇ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହ ବୁଧବାର କୈଳାଶ ଛକଠାରେ ୪୯ ନମ୍ବର କୋଲକାତା-ମୁମ୍ବାଇ ଜାତୀୟ ରାଜପଥକୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସକାଳ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବିରୋଧ ପ୍ରଦର୍ଶନ ଜାରି ରହିବ। ଏନେଇ ଲଇମୁରା ଅଞ୍ଚଳ ବିକାଶ ଯୁବମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com