ଓଡ଼ିଶା

ରଥ ଉଚ୍ଚତାକୁ ନେଇ ଗଜପତିଙ୍କ ପ୍ରତିକ୍ରିୟା : ମନ୍ତବ୍ୟକୁ ନିନ୍ଦାକଲେ କେନ୍ଦୁଝର ବଳଦେବଜୀଉ ମନ୍ଦିର ସେବାୟତ

କେନ୍ଦୁଝର, ୨୬/୦୬/୨୨- ବଡ଼ ଠାକୁରଙ୍କ ରଥ ସବୁଠୁ ବଡ଼ । ଗଜପତି ମହାରାଜଙ୍କ ଏହି ପ୍ରତିକ୍ରିୟା ପରେ ବିବାଦ ବଢିଛି । ଗଜପତିଙ୍କ ଏ ଭଳି ବୟାନ ଦେବା ପୂର୍ବରୁ ତର୍ଜମା କରିବାର ଥିଲା ବୋଲି କହିଛନ୍ତି, କେନ୍ଦୁଝର ଜଗନ୍ନାଥ ମନ୍ଦିରର ପହଣ୍ଡିଆ ସେବକ ବିପିନ ଦାସ । ତାଙ୍କ ମତରେ ଏବେ ନୁହେଁ ଦୀର୍ଘ ୩୦୦ ବର୍ଷ ଧରି କେନ୍ଦୁଝରରେ ବଡ଼ ରଥ ନିର୍ମାଣ ହୋଇ ଆସୁଛି । ଏତେ ପୂର୍ବରୁ ରଥ ନିର୍ମାଣ କରାଯାଉଥିବାରୁ ତାର କିଛିଟା ବିଧି ବିଧାନ ଥିବ । ହୁଏତ ପୂର୍ବରୁ ଏନେଇ ପୁରୀରୁ ଅନୁମତି ମିଳିଥିବ ବୋଲି ସେ କହିଛନ୍ତି । ସେହିପରି ଆଉ ଜଣେ ସେବକ କହିଛନ୍ତି, ୧୬୭୧ ମସିହାରୁ କେନ୍ଦୁଝର ବଳଦେବଜୀଉଙ୍କ ଏହି ରଥ ନିର୍ମାଣ ହୋଇଆସୁଛି । ଏ ରଥ କେବେ ବି ଭଙ୍ଗା ଯାଏନି । ଏଥିରେ ମରାମତି କରାଯାଇ ରଥଯାତ୍ରା କରାଯାଏ । ତେଣୁ ଏ ରଥର ଉଚ୍ଚତା ପୂର୍ବରୁ ଯେତିକି ଥିବ ଏବେ ବି ସେତିକି ଅଛି । ତେଣୁ ଏହା ପୂର୍ବରୁୁ ଥିବା ଗଜପତିଙ୍କ ଜାଣତରେ କରାଯାଇଛି । ତେଣୁ ଗଜପତି ଦେଇଥିବା ମନ୍ତବ୍ୟରେ ସେ ସହମତ ନ ଥିବା କହିଛନ୍ତିି । ସବୁଠୁ ଅଧିକ ଉଚ୍ଚର ରଥ ଭାବେ କେନ୍ଦୁଝର ରଥକୁ ନିକଟରେ ଗିନିଜ ବୁକ୍ ଅଫ ୱାର୍ଲଡ ରେକଡର୍ସରେ ସ୍ଥାନ ମିଳିବା ପରେ, ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପୁରୀ ଗଜପତି ଦିବ୍ୟସିଂହ ଦେବ । ସେ କହିଛନ୍ତି ଯେ, ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ମୂଳପୀଠ ହେଉଛି ପୁରୀ ।ତେଣୁ ପୁରୀ ରଥ ହିଁ ସବୁଠୁ ଉଚ୍ଚ ହେବା କଥା । କିନ୍ତୁ କେନ୍ଦୁଝର ରଥର ଉଚ୍ଚତା ପୁରୀ ଠାରୁ ଅଧିକ କରାଯାଉଥିବାରୁ ଜଗନ୍ନାଥ ପରମ୍ପରା ପ୍ରତି ଏହା କୁଠାରଘାତ । ତେଣୁ ସେଠାକାର ମନ୍ଦିର ଟ୍ରଷ୍ଟ ଓ ପ୍ରଶାସନ ଏଥିପ୍ରତି ଯତ୍ନବାନ ହେବା ଜରୁରୀ ବୋଲି ଗଜପତି କହିଛନ୍ତି । ପୁରୀରେ ନନ୍ଦିଘୋଷ ରଥର ଉଚ୍ଚା ୪୪ ଫୁଟ ହୋଇଥିବା ବେଳେ କେନ୍ଦୁଝର ରଥର ଉଚ୍ଚତା ୭୨ ଫୁଟ ।

 

Related Articles

Back to top button
WP Twitter Auto Publish Powered By : XYZScripts.com