ଅନ୍ତର୍ଜାତୀୟସ୍ୱାସ୍ଥ୍ୟ

କରୋନା ସହ ଲଢ଼େଇ ନ ସରୁଣୁ ଆସିଲା ଆଉ ଏକ ଭାଇରସ- ମାରବର୍ଗ

ନୂଆଦିଲ୍ଲୀ, ୧୩/୦୭/୨୦୨୨- ଏବେ ବି କରୋନା ଭାଇରସ୍ ସହ ଲଢୁଛି ସାରା ବିଶ୍ୱ । କରୋନାରୁ ତ୍ରାହି ମିଳିନଥିବା ବେଳେ ଆଉ ଏକ ନୂଆ ଭାଇରସ୍ ସାମ୍ନାକୁ ଆସିଛି, ଯାହାକୁ ଅତ୍ୟନ୍ତ ମାରାତ୍ମକ ବୋଲି କୁହାଯାଉଛି । ଏହି ଭାଇରସର ନାଁ ‘ମାରବର୍ଗ’ ରଖାଯାଇଛି । ଏହି ଭାଇରସ୍ ପୂର୍ବରୁ ବି ଦେଖାଯାଇଛି । ୧୯୬୭ ମସିହାରେ ଏହାର  ଚିହ୍ନଟ କରାଯାଇ କୁହାଯାଇଥିଲା ଯେ,  କେହି ଯଦି ଏହାର ଶିକାର ହୁଅନ୍ତି, ତେବେ ତାଙ୍କର ମୃତ୍ୟୁ ନିଶ୍ଚିତ । ପଶ୍ଚିମ ଆଫ୍ରିକୀୟ ଦେଶ ଘାନାରେ ମାରବର୍ଗର ଦୁଇଟି ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହି ନୂଆ ଭାଇରସକୁ ନେଇ ସତର୍କ ହୋଇଛି । ଇବୋଲା ଭାଇରସ୍ ଅପେକ୍ଷା ମାରବର୍ଗ ଭାଇରସ୍ ଶୀଘ୍ର ବ୍ୟାପିଥାଏ ଓ ଲୋକଙ୍କୁ ଶିକାର କରିଥାଏ । ଏଥିରେ ସଂକ୍ରମିତ ଲୋକଙ୍କ ମୃତ୍ୟୁ ହାର ୨୪ ପ୍ରତିଶତରୁ ୮୮ ପ୍ରତିଶତ ମଧ୍ୟରେ ରହିଛି । ଏହାକୁ ନେଇ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ପୂର୍ବତନ ମହାନିର୍ଦ୍ଦେଶକ ଏନ.କେ.ଗାଙ୍ଗୁଲି କହିଛନ୍ତି ଯେ, ଏହି ଭାଇରସ୍ ସଂକ୍ରମଣ ବ୍ୟକ୍ତିଙ୍କ ଠାରୁ ହୋଇପାରେ ଏବଂ ଛୁଇଁବା ଦ୍ୱାରା ମଧ୍ୟ ବ୍ୟାପିପାରେ । ମାରବର୍ଗ ଭାଇରସ୍ ଇବୋଲା ଭାଇରସ୍ ସହିତ ଜଡିତ । ସେ ଆହୁରି କହିଛନ୍ତି, ଏହି ଭାଇରସର ଲକ୍ଷଣ ଫ୍ଲୁ ସହିତ ସମାନ । ଏହାର ଚିହ୍ନଟ ପାଇଁ ନମୁନା ନିଆଯାଏ ଏବଂ ସିକ୍ୱେନ୍ସିଙ୍ଗ୍ କରାଯାଏ । ଯେଉଁଠାରୁ ଟିସୁ କଲଚର କରି ଭାଇରସ୍ ଚିହ୍ନଟ ହୁଏ ।

Related Articles

Back to top button
WP Twitter Auto Publish Powered By : XYZScripts.com