ଓଡ଼ିଶା

ପାତ୍ରପୁର ତହସିଲଦାରଙ୍କ ଆକ୍ରମଣକାରୀଙ୍କୁ ଗିରଫ ନ କରାଯିବା ବିରୁଦ୍ଧରେ ତହସିଲ କର୍ମଚାରୀଙ୍କ କଲମଛାଡ ଆନ୍ଦୋଳନ

ବ୍ରହ୍ମପୁର, ୧୧/୦୮/୨୦୨୨-  ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲ ଅନ୍ତର୍ଗତ ବୁଡିଘାଟି ଅଞ୍ଚଳରେ ଗତ ୦୫ ତାରିଖ ଦିନ ଅବକାରୀ ଚଢାଉରେ ମାଜିଷ୍ଟ୍ରେଟ ଦାୟିତ୍ବରେ କାର୍ଯ୍ୟରତ ତହସିଲଦାର ଅମିତ୍ କୁମାର ନାୟକଙ୍କ ଉପରେ କିଛି ଅସାମାଜିକ ବ୍ୟକ୍ତି  ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ । ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ସହ ଘଟଣାସ୍ଥଳରୁ ତହସିଲଦାରଙ୍କୁ ଉଦ୍ଧାର କରାଯାଇ ସୁରଙ୍ଗୀ ସରକାରୀ ଡ଼ାକ୍ତରଖାନାରେ ଆକସ୍ମିକ ଚିକିତ୍ସା ପରେ ସ୍ଥିତିର ଗମ୍ଭୀରତା ଦୃଷ୍ଟିରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସଂପ୍ରତି ତହସିଲଦାର  ଚିକିତ୍ସାଧିନ ଅବସ୍ଥାରେ ରହିଅଛି । ଏହି ଅମାନୁଷିକ କାଣ୍ଡ ପାଞ୍ଚ ଦିନ ବିତିଯାଇଥିଲେ ସୁଦ୍ଧା ଘଟଣାରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜଡ଼ିତ ଥିବା ଉକ୍ତ ଆକ୍ରମଣକାରୀଙ୍କୁ ଗିରଫ କରାଯାଇନାହିଁ । ଏହି ପରିପ୍ରେକ୍ଷୀରେ ଆଜି ତହସିଲ କାର୍ଯ୍ୟାଳୟ କର୍ମଚାରୀଙ୍କ ପକ୍ଷରୁ ଅଭିଯୁକ୍ତ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରାଯିବା ଦାବୀ ନେଇ ସମୂହ କଲମଛାଡ ଆନ୍ଦୋଳନ କରିତହସିଲ କାର୍ଯ୍ୟାଳୟ ସମ୍ମୁଖରେ  ଅନଶନରେ ବସିଛନ୍ତି । ପାତ୍ରପୁର ବ୍ଳକ ଅଞ୍ଚଳରେ ସମ୍ପ୍ରତି ଅବିଚାରିତ ଭାବେ କିଛି ଖଳ ପ୍ରକୃତିର ରାଜନୈତିକ ବ୍ୟକ୍ତିବିଶେଷଙ୍କ ଦ୍ଵାରା ନିରୀହ ଅଞ୍ଚଳବାସୀଙ୍କୁ ପ୍ରତାରିତ କରାଯାଇ ପ୍ରଶାସନିକ ଅଧିକାରୀ ଏବଂ ସରକାରୀ କର୍ମଚାରୀଙ୍କ ବିରୋଧରେ ଅମାନୁଷିକ କାର୍ଯ୍ୟଧାରା ପ୍ରତି ଆକର୍ଷିତ କରୁଥିବା ନେଇ ହେଉଥିବା ଆଲୋଚନାକୁ ନେଇ କ୍ଷୋଭ ପ୍ରକାଶ କରାଯାଇଛି ।  ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ସହ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ନେଇ ପାତ୍ରପୁର ତହସିଲ କର୍ମଚାରୀଙ୍କ ପକ୍ଷରୁ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ରରେ ଆସନ୍ତା ୨୪ ଘଣ୍ଟାର ମହଲତ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com