ଅନ୍ୟାନ୍ୟ

ନକଲି ଫେସବୁକ ଆକାଉଣ୍ଟ ଖୋଲି ମଡେଲଙ୍କୁ ବଦନାମ କରିବା ଅଭିଯୋଗରେ ହୋଟେଲ ମାଲିକ ଗିରଫ

ବ୍ରହ୍ମପୁର, ୨୪/୦୮/୨୦୨୨-    ସୋସିଆଲ ମିଡ଼ିଆର ଦୁରୁପଯୋଗ କରି ଧନୀ ଲୋକଙ୍କ ନାମରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ମହିଳାଙ୍କୁ ବଦନାମ ଅଭିଯୋଗ । ଘଟଣା ଘଟିଛି ବ୍ରହ୍ମପୁର ସହରରେ । ଜଣେ ସାମଜସେବୀ  ତଥା ମଡେଲଙ୍କ ଚରିତ୍ରକୁ ବଦନାମ କରୁଥିବା ଅଭିଯୋଗରେ ସହରର ଜଣେ ରସିକିଆ ହୋଟେଲ ମାଲିକଙ୍କୁ ବ୍ରହ୍ମପୁର ସାଇବର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ମଞ୍ଜୁରୀ ନଗର ସ୍ଥିତ ବିକେ ଷ୍ଟ୍ରିଟ ପୋଷ୍ଟ ଅଫିସ ନିକଟରେ ରହୁଥିବା ଆଶିଷ ପାଢୀ । ଅଭିଯୁକ୍ତ ଆଶିଷ ମୟୂରୀ ଟାୱାର ନିକଟରେ ଥିବା ସାଇବର କ୍ୟାଫେକୁ ଯାଇ ଏହି କାରନାମା କରୁଥିଲେ । ପୁଲିସ ବହୁ ଖୋଜା ଖୋଜି କରିବା ପରେ କ୍ୟାଫେ ବାହାରେ ପାର୍କିଂରେ ଥିବା ବାଇକର ନଂକୁ ପୁଲିସ ଯାଞ୍ଚ କରି ଏହି ଘଟଣାର ସଫଳତା ପାଇଥିଲା । ପୁଲିସ ଉକ୍ତ କ୍ୟାଫେରୁ ୨ ଟି କମ୍ପ୍ୟୁଟର ଜବତ କରିଥିବା ବେଳେ ଅଭିଯୁକ୍ତ ଓ ଅଭିଯୋଗକାରୀ ମହିଳାଙ୍କ ମୋବାଇଲ ଜବତ କରିଛି । ଏହି ଘଟଣା ପରେ ବିଭିନ୍ନ ସାଇବର କ୍ୟାଫେକୁ ଆସୁଥିବା ଲୋକଙ୍କ ଠିକଣା ରେଜିଷ୍ଟର କରିବାକୁ ସାଇବର କ୍ୟାଫେ ମାଲିକଙ୍କୁ ଏସପି ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି କ୍ୟାଫେ ଏହା ନ କରନ୍ତି ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ଡ଼ଃ ସର୍ବଣା ବିବେବ ଏମ ସୂଚନା ଦେଇଛନ୍ତି । ଆଶିଷ ପୂର୍ବରୁ ଅଭିଯୋଗକାରୀ ମହିଳାଙ୍କ ଓ ତାଙ୍କ ସ୍ବାମୀଙ୍କ ସହ ପୂର୍ବରୁ ପରିଚିତ ଥିଲେ ।  କରୋନା ସମୟରେ ସମାଜସେବା କରି ଅଭିଯୋଗକାରୀ ମହିଳା ଜଣକ ବହୁତ ନାଁ କମାଇଥିଲେ । ଅଭିଯୁକ୍ତ ଆଶିଷଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅଭିଯୋଗକାରୀ ମହିଳାଙ୍କ ଠାରୁ ସ୍ୱାମୀଙ୍କୁ ଦୂରେଇବା । ତେଣୁ ସେ ଉକ୍ତ ମହିଳା ଏବଂ ଅନ୍ୟ କିଛି ନକଲି ମହିଳାଙ୍କ ନାମରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଲା ଭଳି ଅଶ୍ଲୀଳ ଫୋଟୋ ସହ ସହରର ଏବଂ ରାଜ୍ୟର ଚର୍ଚ୍ଚିତ ଧନୀ ଲୋକଙ୍କ ଫୋଟୋ ଯୋଡ଼ି ମହିଳାଙ୍କ ଚରିତ୍ରକୁ ବଦନାମ କରିବା ପାଇଁ ଅଭିଯୋଗକାରୀ ମହିଳାଙ୍କ ସ୍ୱାମୀଙ୍କୁ ଫୋଟୋ ପଠାଉଥିଲେ । କେବଳ ଏତିକି ନୁହେଁ ସହରର ବଡ଼ ବଡ଼ ବ୍ୟବସାୟୟୀ ଠାରୁ ଆରମ୍ଭ କରି ସାମ୍ବାଦିକ, ଆଇନଜୀବୀ, ସମାଜସେବୀଙ୍କ ନାମ ନେଇ ସେ ଅଭିଯୋଗକାରୀ ମହିଳାଙ୍କୁ ମେସେଞ୍ଜର, ନକଲି ଆକାଉଣ୍ଟରୁ ଅଶ୍ଲୀଳ, ମର୍ଯ୍ୟାଦାହାନିକାର କମେଣ୍ଟ ଲେଖୁଥିଲେ । ବାରମ୍ବାର ଏଭଳି ମର୍ଯ୍ୟାଦାହାନୀ ହେବା ପରେ ଅଭିଯୋଗକାରୀଣୀ ମହିଳାଜଣଙ୍କ ଗତ ମେ ୧୫ ତାରିଖରେ ବ୍ରହ୍ମପୁର ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧଥାନାରେ କରିଥିବା ଅଭିଯୋଗ ମୁତାବକ ,ଜଣେ ଅଜଣା ବ୍ୟକ୍ତି ଫେସବୁକ ଆକାଉଣ୍ଟ ଖୋଲି ତାଙ୍କ ଚରିତ୍ରକୁ ବଦନାମ କରିବା ପାଇଁ ବିଭିନ୍ନ ବ୍ୟକ୍ତିଗତ ତଥ୍ୟ ଏବଂ ଫୋଟ ପୋଷ୍ଟ କରୁଥିଲା । କେବଳ ଗୋଟିଏ ନୁହେଁ ତିନିଟି ନକଲି ଆକାଉଣ୍ଟ ଖୋଲି ଏଭଳି କାଯ୍ୟ କାର୍ଯ୍ୟ କରୁଥିଲା । ତାଙ୍କର ଏହି ଅଭିଯୋଗକୁ ଭିତ୍ତି କରି ସାଇବର ଥାନାରେ କେସ ନଂ ୪/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ପୁଲିସ ଫେସବୁକ, ଗୁଗୁଲର ସହଯୋଗ ଲୋଡ଼ିଥିଲା ।  ତଦନ୍ତ ବେଳେ ଅଭିଯୁକ୍ତ ଆଶିଷ ପୂର୍ବରୁ ଏଭଳି ଦୁଇଟି ମାମଲାରେ ସଂପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଥିଲା । ୨୦୧୭ରେ ଦୁଇ ଜଣ ମହିଳାଙ୍କ ମର୍ଯ୍ୟାଦାହାନି କରିବା ଅଭିଯୋଗରେ ଆଶିଷ ନାଁରେ କଟକ କ୍ରାଇମବ୍ରାଞ୍ଚରେ ଦୁଇଟି ମାମଲା ରୁଜୁ ହୋଇଥିଲା ପୁଲିସ ଜାଣିବାକୁ ପାଇଥିଲା । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com