ଜୀବନଶୈଳୀ

ହକି ବିଶ୍ଵକପ୍‌ ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର, ୨୮/୧୨/୨୦୨୨-   ହକି ବିଶ୍ଵକପ୍‌ ପାଇଁ ରାଜଧାନୀ ଭୁବନେଶ୍ୱରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନକ୍ସା ପ୍ରସ୍ତୁତ କରିଛି କମିସନରେଟ୍‍ ପୁଲିସ । ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା ସହ ସହରର ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ଲାଗି କମିସନରେଟ୍‍ ପୁଲିସ ପକ୍ଷରୁ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ।

ବିଶ୍ଵକପ୍‌ ସମୟରେ ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନବନ୍ଦରକୁ ପୁରା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ । କାରଣ ଖେଳାଳିଙ୍କ ସହ ବିଦେଶୀ ପର୍ଯ୍ୟଟକମାନେ ବହୁମାତ୍ରାରେ ଆସିବାର ସମ୍ଭାବନା ରହିଥିବାରୁ ସେମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ୨ ପ୍ଲାଟୁନ ଫୋର୍ସ ଏୟାର ପୋର୍ଟରେ ନିୟୋଜିତ ହେବେ । ଏନେଇ ବୁଧବାର ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଭୁବନେଶ୍ୱର ଡିସିପି ଓ ଏୟାର ପୋର୍ଟ ଅଥରିଟି ।

ସେହିପରି ରାଜଧାନୀର ଟ୍ରାଫିକ ପରିଚାଳନା ତଦାରଖରେ ଅତିରିକ୍ତ ପୁଲିସ କମିସନର୍‍ ଉମାଶଙ୍କର ଦାଶ ରହିବେ । ଏଥିସହିତ ସାମାଜିକ ଗଣମାଧ୍ୟମରେ ଟ୍ରାଫିକ୍‍ ପରିଚାଳନା କ୍ଷେତ୍ରରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ଏଥିଲାଗି ହେଲ୍ପଲାଇନ୍‍ ନମ୍ବର ୮୨୮୦୩୩୮୩୦୫ ଜାରି କରାଯାଇଛି । ଟ୍ରାଫିକ ଭିଡ଼କୁ ଏଡେଇବା ଲାଗି F.M ରେଡିଓ କିମ୍ବା ପୁଲିସର ଟୁଇଟ୍‍ର ଆକାଉଣ୍ଟରେ ଭିଡ଼ ଅଞ୍ଚଳ ବିଷୟରେ ସାଧାରଣ ଲୋକେ ତଥ୍ୟ ପାଇବେ । ଆର୍‍ଓ, ନିୟୁ ଏଜି କଲୋନୀ, ନିକୋ ପାର୍କରେ କାର୍‍ ଓ ବେହେରାସାହି ରୋଡ୍‍ ବାଇକ ପାର୍କିଂ ପାଇଁ ୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।

କଟକ ଅବା ପୁରୀ ପଟୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମକୁ ଆସୁଥିବା ହକି ପ୍ରେମୀକୁ ବାଟ ଦେଖାଇବ ଆନିମେଟେଡ୍‍ ଭିଡିଓ । ସହରରେ ଲାଗିଥିବା ଏଲ୍‍ଇଡି ସ୍କ୍ରିନ୍‍ରେ କଳିଙ୍ଗ ଷ୍ଟାଡିୟମ ପହଞ୍ଚିବା ସହ କେଉଁଠି ପାର୍କିଂ କରିବେ, ତା’ର ସର୍ବିଶେଷ ତଥ୍ୟ ପାଇପାରିବେ । ସହରକୁ ପ୍ରବେଶ କରୁଥିବା ପଥଗୁଡ଼ିକରେ LED ସ୍କିନ୍‍ ଲାଗିବ । ଫଳରେ ଦେଶ ଓ ବିଦେଶରୁ ଆସୁଥିବା ଲୋକେ ଭିଡ଼ରେ ନ ଫସି କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିବା ସହ ଠିକ୍‍ ସ୍ଥାନରେ ବାଇକ୍‍ କିମ୍ବା କାର୍‍ ପାର୍କିଂ କରିପାରିବ।

Related Articles

Back to top button
WP Twitter Auto Publish Powered By : XYZScripts.com