Featuredଓଡ଼ିଶା

ବିଶ୍ୱ ଦକ୍ଷତା କେନ୍ଦ୍ରର ସଫଳତା, ୨୪ ଓଡ଼ିଆ ବିଦ୍ୟାର୍ଥୀ ତାଲିମ୍‌ ପାଇଁ ଗଲେ ସିଙ୍ଗାପୁର

ଭୁବନେଶ୍ୱର: ଓଡ଼ିଶାରେ ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ୨୪ ଜଣ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଙ୍କୁ ଶିକ୍ଷାନବିଶ ତାଲିମ୍‌ ପାଇଁ ସିଙ୍ଗାପୁର ପଠାଯାଇଛି । ଏହି ବିଦ୍ୟାର୍ଥୀମାନେ ସିଙ୍ଗାପୁରରେ ବିଭିନ୍ନ ଖ୍ୟାତିସମ୍ପନ୍ନ କମ୍ପାନୀ ଗୁଡ଼ିକରେ ତାଲିମ୍‌ ନେବେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନ ‘ଓଡ଼ିଶାରେ ଦକ୍ଷ ବିଶ୍ୱସ୍ତରୀୟ ହେବେ’ ଉପକ୍ରମରେ ଏହି କାର୍ଯ୍ୟକ୍ରମ ସଫଳ ହେବାକୁ ଯାଉଛି ।

ପ୍ରକାଶ ଥାଉ କି ଓଡ଼ିଶାର ବିଶ୍ୱ ଦକ୍ଷତା କେନ୍ଦ୍ର ବିଦେଶକୁ ତାଲିମ୍‌ ପାଇଁ ବିଦ୍ୟାର୍ଥୀଙ୍କୁ ପଠାଇବାରେ ଦେଶର ପ୍ରଥମ ଦକ୍ଷତା ବିକାଶ ପ୍ରତିଷ୍ଠାନ । ତାଲିମ୍‌ ପୂର୍ବରୁ ଶିକ୍ଷାର୍ଥୀମାନଙ୍କୁ ମଧ୍ୟ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଗୋଟିଏ ସପ୍ତାହ ବ୍ୟାପୀ ଶିକ୍ଷଣ ପ୍ରଦାନ କରାଯାଇଛି । ୬ ମାସ ରହଣି ମଧ୍ୟରେ ଶିକ୍ଷାନବିଶମାନେ ସିଙ୍ଗାପୁରର ବୈଷୟିକ ଶିକ୍ଷା ସେବା ପ୍ରତିଷ୍ଠାନ ରେ ରହିବେ । ସେମାନଙ୍କୁ ସେଠାରେ କ୍ୟାଣ୍ଟିନ୍‌ ସୁବିଧା, ଖାଦ୍ୟପେୟ ବ୍ୟବସ୍ଥା ଏବଂ ଆନୁଷଙ୍ଗିକ ସେବା ଯୋଗାଇ ଦିଆଯିବ । ସେମାନଙ୍କୁ ମାସିକ ୮ ଶହ ସିଙ୍ଗାପୁର ଡଲାର ଷ୍ଟାଇପେଣ୍ଡ ଭାବରେ ଦିଆଯିବ । ତାଲିମ୍‌ ଶେଷ ହେବା ପରେ ସେମାନେ ପ୍ରଦର୍ଶନ ଭିତ୍ତିରେ ବିଭିନ୍ନ ସିଙ୍ଗାପୁରର ଆନ୍ତର୍ଜାତିକ କମ୍ପାନୀରେ ନିୟୋଜିତ ହେବେ ।

ଆଜି ବିଦ୍ୟାର୍ଥୀମାନେ ସିଙ୍ଗାପୁର ଯାତ୍ରା କରିଛନ୍ତି । ସେମାନଙ୍କ ଯାତ୍ରା ପୂର୍ବରୁ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଳକା ମିଶ୍ର, କେନ୍ଦ୍ରର ଅଧ୍ୟକ୍ଷ ସଂଗରଣ ଗୋପାଳଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ବିଶ୍ୱ ଦକ୍ଷତା କେନ୍ଦ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା ସ୍ନାତକମାନଙ୍କୁ ସିଙ୍ଗାପୁରରେ କାର୍ଯ୍ୟ କରିବା ଜରିଆରେ ବିଶ୍ୱସ୍ତରୀୟ ପରିଚିତି ଦେବା ସିଙ୍ଗାପୁର ତାଲିମ୍‌ କାର୍ଯ୍ୟକ୍ରମର ପ୍ରମୁଖ ଆଭିମୁଖ୍ୟ ।

ଗତ ନଭେମ୍ବର ୩୦ରୁ ୪ ଡିସେମ୍ବର ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ମେକ୍‌-ଇନ୍‌-ଓଡ଼ିଶା ମହାସମ୍ମିଳନୀରେ ବିଶ୍ୱ ଦକ୍ଷତା କେନ୍ଦ୍ର ଓ ସିଙ୍ଗାପୁରର ବୈଷୟିକ ସେବା ପ୍ରତିଷ୍ଠାନ ମଧ୍ୟରେ ସ୍ୱାକ୍ଷରିତ ରାଜିନାମାରେ ତାଲିମ୍‌ ପାଇଁ ସିଙ୍ଗାପୁର ଯାତ୍ରା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com