ଓଡ଼ିଶା

କେନ୍ଦ୍ରମନ୍ତ୍ରୀଙ୍କ ଅଡୁଆ ବଢ଼ିଲା, କୋର୍ଟରେ ଅଶ୍ୱିନୀଙ୍କ ବୟାନ୍‌ ରେକର୍ଡ

ବାରିପଦା () ମୟୂରଭଞ୍ଜ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ଉପ-ନିର୍ଦ୍ଦେଶକ ଅଶ୍ୱିନୀ ମଲ୍ଲିକଙ୍କର ଆଜି ୧୬୪ ଧାରାରେ ବୟାନ୍‌ ରେକର୍ଡ ହୋଇଛି। ବାରିପଦା ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ଏହି ବୟାନ୍‌ ରେକର୍ଡ କରାଯାଇଛି।

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ନିଜ ବିଭାଗର ଯୋଜନା ସମ୍ପର୍କରେ ସମୀକ୍ଷା କରିବା ପାଇଁ ମୟୂରଭଞ୍ଜ ଯୋଜନା ବୋର୍ଡ ଡେପୁଟି ଡାଇରେକ୍ଟର ଦେବାଶିଷ ମହାପାତ୍ର ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ଅଶ୍ୱିନୀ କୁମାର ମଲ୍ଲିକଙ୍କୁ ଡାକିଥିଲେ। ମାତ୍ର ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହୋଇଥିବା ଆଚରଣ ବିଧି ଯୋଗୁ ଦୁଇ ଅଧିକାରୀ ଯାଇନଥିଲେ। ଏହା ପରେ ମନ୍ତ୍ରୀ ସେମାନଙ୍କୁ ବାରିପଦା ସର୍କିଟ୍‌ ହାଉସ୍‌କୁ ଡାକିଥିଲେ। ହେଲେ ସେମାନେ ଯିବାକୁ ରାଜି ହୋଇନଥିଲେ।

ଶେଷରେ ମନ୍ତ୍ରୀ ନିଜ ତକତପୁର ସ୍ଥିତ କାର୍ଯ୍ୟାଳୟକୁ ଦୁଇ ଅଧିକାରୀଙ୍କୁ ଡକାଇଥିଲେ। ଡାକରା ପାଇ ଦୁଇ ଅଧିକାରୀ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ହେଲେ ସେମାନେ ବିଭାଗର ଫାଇଲ ଆଣିନଥିବାରୁ ଉଭୟଙ୍କ ଉପରେ ବିରକ୍ତ ପ୍ରକାଶ କରିଥିଲେ ମନ୍ତ୍ରୀ। ଏହା ପରେ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ସେଠାରେ କୁଆଡ଼େ ମନ୍ତ୍ରୀ ପ୍ଲାଷ୍ଟିକ ଚେୟାର ଉଠାଇ ଦୁଇ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

ଏନେଇ ଦୁଇ ଅଧିକାରୀ ବାରିପଦା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ମନ୍ତ୍ରୀଙ୍କ ବିରୋଧରେ ପୁଲିସ୍‌ ୩୨୩, ୩୨୫, ୩୪୧, ୨୯୪, ୫୦୬ ଦଫାରେ ମାମଲା ରୁଜୁ କରି ତଦନ୍ତ କରୁଛି। ସେପଟେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଘଟଣାକୁ ଖଣ୍ଡନ କରିଛନ୍ତି।

ସେପଟେ ବାରିପଦା ଟାଉନ ଥାନା ପୁଲିସ୍‌ କହିଛି, ଘଟଣାର ସବିଶେଷ ତଥ୍ୟ ଲୋକସଭା ବାଚସ୍ପତିଙ୍କୁ ଜଣାଇ ଦିଆଯାଇଛି। ଆଗକୁ ଅନ୍ୟ ସାକ୍ଷୀମାନଙ୍କ ୧୬୪ ଧାରା ଅନୁସାରେ ବୟାନ ରେକର୍ଡ କରାଯିବ ବୋଲି ପୁଲିସ୍‌ କହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com