ଓଡ଼ିଶା

ଅଣସରକୁ ଗଲେ ଶ୍ରୀଜିଉ, ଆଜିଠୁ ଦର୍ଶନ ଦେବେ ଅଲାରନାଥ

ପୁରୀ: ଆଜିଠୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଅଲାରନାଥ  । ଆରମ୍ଭ ହୋଇଛି ଅଲାରନାଥଙ୍କ ଅଣସର ଦର୍ଶନ । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଭୋରରୁ ଦ୍ଵାର ଫିଟା, ମଙ୍ଗଳ ଆଳତି, ତଡପଲାଗି ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଭୋର ୪ଟାରୁ ଦ୍ବାର ଫିଟାଯିବା ପରେ ମନ୍ଦିରର ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଛି  । ପ୍ରଥମ ଦିନରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି  ।

ଏହି ଦର୍ଶନ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବ ଯୌବନ ଦର୍ଶନ ପର୍ଯ୍ୟନ୍ତ ଚାଲିବ । ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ପ୍ରାପ୍ତି ହୁଏ ।ସ୍ନାନ ପୂର୍ଣ୍ଣିମାରେ ସ୍ନାନ ବେଦୀରେ 108 ଗରା ସୁନା କୂଅ ଜଳରେ ସ୍ନାନ କରି ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ । ଶ୍ରୀମନ୍ଦିର ରତ୍ନ ସିଂହାସନରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ।

ତିନି ଠାକୁର 15 ଦିନ ଧରି ଅଣସର ମଣ୍ଡପରେ ଅବସ୍ଥାନ କରିଛନ୍ତି । ଭକ୍ତମାନେ ଏହି ସମୟରେ କେବଳ ବ୍ରହ୍ମଗିରିର ଅଲାରନାଥଙ୍କୁ ଅଣସର ସମୟରେ ଦର୍ଶନ କରନ୍ତି  ।

ଶ୍ରୀମନ୍ଦିର ଭୋଗନୀତି ପରି ଏଠାରେ ମଧ୍ୟ ଭୋଗ ଅନୁଷ୍ଠିତ ହୁଏ । ସକାଳ ୮ଟାରେ ବାଳଭୋଗ, ସକାଳ ଧୂପରେ ଅଣ୍ଡି, ଖେଚେଡ଼ି, ଡାଲି ଓ ତରକାରୀ ଭୋଗ କରାଯାଏ । ମଧ୍ୟାହ୍ନରେ କ୍ଷୀର ଭୋଗ କରାଯାଇ ପହୁଡ଼ ପଡ଼େ । ରାତିରେ ଦହି ପଖାଳ ଓ ଭଜା ଭୋଗ କରାଯାଏ । ଶ୍ରୀଅଲାରନାଥଙ୍କ କ୍ଷୀରି ଭୋଗ ସବୁଠାରୁ ପ୍ରିୟ । ଶ୍ରୀମନ୍ଦିର ଭଳି ଏଠାରେ ପ୍ରଭୁ ଅଲାରନାଥଙ୍କ ଦୈନଦିନ ଆଳତୀ, ଅବକାଶ, ବଲ୍ଲଭ, ଅନ୍ନଭୋଗ, ଚନ୍ଦନ ଲାଗି, ବଡ଼ସିଂହାର ବେଶ, ପହୁଡ଼ ଇତ୍ୟାଦି ନୀତି ଅନୁଷ୍ଠିତ ହୋଇଥାଏ  ।

Related Articles

Back to top button
WP Twitter Auto Publish Powered By : XYZScripts.com