ଅନ୍ତର୍ଜାତୀୟଜାତୀୟ

ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କ ସହ ପୁରା କ୍ୟାବିନେଟ୍‌ ଦେବ ଇସ୍ତଫା; ଶ୍ରୀଲଙ୍କାରେ ହେବ ସର୍ବଦଳୀୟ ସରକାର

କଲମ୍ୱୋ: ଶ୍ରୀଲଙ୍କାରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ଓ ରାଜନୈତିକ ସଙ୍କଟ ପ୍ରତିଦିନ ନୂଆ ମୋଡ଼ ନେଉଛି। ଦେଶରେ ହେଉଥିବା ଜୋରଦାର ବିରୋଧ ପ୍ରଦର୍ଶନକୁ ଦେଖି ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମ ସିଂଘେ ସୋମବାର ସକାଳେ କ୍ୟାବିନେଟ୍‌ ସହିତ ବୈଠକ କରିଛନ୍ତି। ଦେଶରେ ସର୍ବଦଳୀୟ ସରକାର ହେବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେଥିପାଇଁ ଏବେ ପୁରା ମନ୍ତ୍ରୀମଣ୍ଡଳ ଇସ୍ତଫା ଦେବେ। ସୂଚନାଥାଉକି, ଗତ ତିନି ଦିନ ହେଲା ଶ୍ରୀଲଙ୍କାରେ ପ୍ରବଳମାତ୍ରାରେ ବିରୋଧ ପ୍ରଦର୍ଶନ କରାଯାଉଛି। ଲୋକମାନେ ସେଠାରେ ରାଷ୍ଟ୍ରପତି ଭବନରେ ଡେରା ପକାଇବା ସହିତ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଘରେ ନିଆଁ ଲଗାଇ ଦେଇଛନ୍ତି। ଦେଶ ପୂର୍ବରୁ ଦେବାଳିଆ ପରିସ୍ଥିତିରେ ଅଛି କିନ୍ତୁ ଏବେ ସେଠାରେ ଖାଇବା ପିଇବାକୁ ବହୁ ଅସୁବିଧାର ସାମ୍ନା କରୁଛନ୍ତି। ସେଥିପାଇଁ ଏବେ ସେଠାରେ ସମସ୍ତ ଦେଶବାସୀ ଏକାଠି ହୋଇ ଜୋରଦାର ବିରୋଧ ପ୍ରଦର୍ଶନ କରୁଥିବା ଚିତ୍ର ସାମ୍ନାକୁ ଆସିଛି।

ସୂଚନାଥାଉକି, ଦୁଇ ମାସ ପୂର୍ବରୁ ଦେଶବାସୀଙ୍କ ବିରୋଧ ଆଗରେ ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପେକ୍ଷ ମୁଣ୍ଡ ନୁଆଁଇଥିଲେ। ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଲୋକମାନେ ଦାବି କରିଥିଲେ ଯେ ରାଷ୍ଟ୍ରପତି ଗୋଟାବାୟା ରାଜପେକ୍ଷ ଇସ୍ତଫା ଦିଅନ୍ତୁ। କିନ୍ତୁ ସେତେବେଳେ ଗୋଟାବାୟା ତାଙ୍କ ପଦକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ। ମହିନ୍ଦ୍ରା ରାଜପେକ୍ଷଙ୍କ ପରେ ରାନିଲ ବିକ୍ରମ ସିଂଘେଙ୍କୁ ରାଷ୍ଟ୍ରପତି କରାଗଲା। କିନ୍ତୁ ଦେଶର ପରିସ୍ଥିତି ସୁଧୁରିବା ବଦଳରେ ଆହୁରି ଗମ୍ଭୀର ହେବାରେ ଲାଗିଲା। ଗତ କିଛିଦିନ ହେଲା ସେଠାରେ ତୈଳ(ଇନ୍ଧନ) ସଙ୍କଟ କାରଣରୁ ଯେତେବେଳେ ସବୁକିଛି ବନ୍ଦହୋଇଗଲା ସେତେବେଳେ ଦେଶର ପ୍ରତ୍ୟକ ନାଗରିକ ବିରୋଧ ପ୍ରଦର୍ଶନ କରିବାକୁ ଲାଗିଲେ। ପ୍ରଥମେ ଲୋକମାନେ ରାଷ୍ଟ୍ରପତି ଭବନକୁ କବ୍‌ଜା କରିଥିଲେ। ଲୋକମାନେ ଦାବି କରୁଥିଲେ ଯେ ରାଷ୍ଟ୍ରପତି ଗୋଟାବାୟା ରାଜପେକ୍ଷ  ଇସ୍ତଫା ଦିଅନ୍ତୁ। ଲୋକମାନଙ୍କ ଦାବୀ ପାଇଁ ଶେଷରେ ଗୋଟାବାୟା ରାଜପେକ୍ଷ ଇସ୍ତଫା ଦେବେ ବୋଲି ପ୍ରସ୍ତୁତ ଅଛନ୍ତି।

ଅନ୍ୟପଟେ, ନୂଆ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଲଗାତାର ଦେଶର ଚାପ ବଢ଼ିଚାଲିଛି। ଏବେ ଶ୍ରୀଲଙ୍କାରେ ବିଦେଶୀ ମୁଦ୍ରା ସମ୍ପୂର୍ଣ୍ଣ ସରିଯାଇଛି। ସେଥିପାଇଁ ଏବେ ବିଦେଶରୁ କୌଣସି ଦ୍ରବ୍ୟ ଶ୍ରୀଲଙ୍କାକୁ ଆମଦାନି ହେଉନାହିଁ। ଶ୍ରୀଲଙ୍କାରେ ଏବେ ତୈଳ (ଇନ୍ଧନ) ମଧ୍ୟ ସରିଯାଇଛି ଫଳରେ ଏବେ ସେଠାରେ ସ୍କୁଲ କଲେଜଗୁଡ଼ିକ ମଧ୍ୟ ବନ୍ଦ କରାଯାଇଛି। ଏହା ଛଡ଼ା ସେଠାରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୁଡ଼ିକ ପାଇଁ ମଧ୍ୟ ଲୋକମାନେ ସମସ୍ୟାର ସାମ୍ନାକରୁଛନ୍ତି। ଏପରି ପରିସ୍ଥିତିରେ ଦେଶରେ ସଙ୍କଟରୁ ତ୍ରାହି ପାଇବା ପାଇଁ ସର୍ବଦଳୀୟ ଗଠନ ହେବ ବୋଲି ସ୍ଥିର କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com