ସ୍ୱାସ୍ଥ୍ୟ

ଚୀନ୍‌ରେ ପୁଣି ଲକଡାଉନ ଆଶଙ୍କା! ବିପଦରେ ବିଶ୍ୱ ଅର୍ଥ ବ୍ୟବସ୍ଥା

ଚୀନ୍‌ରେ କରୋନା ଭାଇରସର ପ୍ରକୋପ ଏବେବି ଥମିନି। ବଢୁଥିବା ସଂକ୍ରମଣ ସଂଖ୍ୟାକୁ ନଜରରେ ରଖି ପ୍ରକୋପ ନିୟନ୍ତ୍ରଣ ପାଇଁ ପୁଣି ଲକଡାଉନର ଆଶ୍ରୟ ନିଆଯାଇପାରେ ବୋଲି ଆଶଙ୍କା କରାଯାଉଛି। ବିଶ୍ୱର ଦ୍ୱିତୀୟ ବୃହତ୍ତ ଅର୍ଥ ବ୍ୟବସ୍ଥା ଚୀନ୍‌ରେ ଯଦି ପୁଣି ଲକଡାଉନ ଜାରି ହୁଏ କେବଳ ଦେଶ ନୁହେଁ ବିଶ୍ୱର ଅର୍ଥ ବ୍ୟବସ୍ଥା ଲାଗି କାଫି ଚିନ୍ତାଜନକ ହୋଇପାରେ ବୋଲି ଏବେ ଆଶଙ୍କା କରାଯାଉଛି। ଚୀନ୍‌ ଅର୍ଥନୀତି ପାଇଁ ଏହା ଏକ ଝଟକା ଭଳି ହେବାକୁ ଥିବା ବେଳେ ବିଶ୍ୱ ଅର୍ଥ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡିବ। ଚୀନ୍‌ କରୋନାକୁ ନେଇ କେତେ ଭୟଭୀତ ଏହା ଏକ ସାମାନ୍ୟ ଘଟଣାରୁ ଯେ କେହିବି ଅନୁମାନ କରିପାରିବେ। ସହରରେ ସଂକ୍ରମଣର କେବଳ ଗୋଟିଏ ମାମଲା ସାମ୍ନାକୁ ଆସିବା ଯୋଗୁ ପୁରା ସହରକୁ ୩ ଦିନ ଲକଡାଉନ କରିଦିଆଯାଇଥିଲା। ଚୀନ୍‌ରେ ଏବେ ପୁଣି ସଂକ୍ରମଣ ବଢିବା ଆରମ୍ଭ କରିଛି। ଏଣୁ ଲକଡାଉନର ଆଶଙ୍କା କରାଯାଉଥିବା ବେଳେ କାରଖାନା , କନଷ୍ଟ୍ରକ୍ସନ ପୁଣି ବନ୍ଦ ହୋଇପାରେ ବୋଲି ଆକଳନ କରାଯାଉଛି। ଏଥିରେ ଯଦି କନଷ୍ଟ୍ରକ୍ସନ କମ୍ପାନୀ ପୁଣି ଲକଡାଉନର ସମ୍ମୁଖୀନ ହୁଅନ୍ତି ତେବେ ପ୍ରଥମରୁ ଋଣରେ ବଡି ରହିଥିବା କମ୍ପାନୀମାନେ ଗୁରୁତର ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଉଛି। ଇକୋନମୀ ସହ ସମ୍ପର୍କିତ ସବୁ ଇଣ୍ଡିକେଟର ବିଶ୍ୱର ଦ୍ୱିତୀୟ ବୃହତ୍ତ ଅର୍ଥବ୍ୟବସ୍ଥା ଚୀନ୍‌ରେ ହ୍ରାସ ଆରମ୍ଭ ହୋଇଯାଇଥିବା ସୂଚିତ କରୁଥିବା ବେଳେ ସରକାର ବର୍ଷର ଦ୍ୱିତୀୟ ଷଡମାସିକ ଉପରେ ନଜର ରଖି ରହିଛନ୍ତି। ଏଥିରେ ୫.୫ ପ୍ରତିଶତ ଗ୍ରୋଥର ଲକ୍ଷ ହାସଲ ହୋଇ ଯାଇପାରିବ ବୋଲି ଜିନପିଙ୍ଗ ସରକାର ଆଶା କରୁଛନ୍ତି। ଚୀନ୍‌ରେ କରୋନା ଭାଇରସ ମହାମାରୀ ପୁଣି ଥରେ ଆତଙ୍କ ଖେଳାଇଛି। ହାମାରୀ ବ୍ୟାପିବା ପ୍ରଚାରିତ ହେବା ପରେ ଗତ ୧୫ ଦିନ ହେଲା ଚୀନ୍‌ ସେୟାର ବଜାର ହ୍ରାସର ସମ୍ମୁଖୀନ ହେଉଛି। ଜୁନ ୨୮ ପରେ ଚୀନ୍‌ର ହାଙ୍ଗସେଙ୍ଗ ଓ ଚାଇନା ଏଣ୍ଟରପ୍ରାଇଜେସ୍ ଇଣ୍ଡେକ୍ସ  ୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେଲାଣି। ଏଥିରେ ନିବେଶକ କରୋନାକୁ ନେଇ ପୁଣି ଥରେ ଚିନ୍ତାରେ ପଡିଛନ୍ତି। ଯଦି ଦେଶରେ କରୋନା ସଂକ୍ରମଣ ବଢେ ସରକାର ଲକଡାଉନ ଘୋଷଣା କରିବା ସହ ଆର୍ଥିକ ଗତିବିଧିକୁ ପୁଣି ଠପ କରିଦେଇପାରନ୍ତି ବୋଲି ଆଶଙ୍କା କରୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com