ଓଡ଼ିଶା

ସ୍ନେକ ହେଲ୍ପ ଲାଇନ ପକ୍ଷରୁ ବିଶ୍ଵ ସର୍ପ ଦିବସ ପାଳିତ

ବ୍ରହ୍ମପୁର,୧୮/୦୭/୨୦୨୨-  ସ୍ନେକ ହେଲ୍ପ ଲାଇନ ପକ୍ଷରୁ ବିଶ୍ଵ ସର୍ପ ଦିବସ ପାଳିତ ହୋଇଯାଇଛି । ଆସ୍କା ରୋଡ ସ୍ଥିତ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଅତିରିକ୍ତ ବନ ସଂରକ୍ଷକ ଡ. ରୁଦ୍ର ପ୍ରସାଦ ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ର ଏବଂ ପରିବେଶବିତ୍ ଚନ୍ଦନ ଜାନୀ ଯୋଗ ଦେଇଥିଲେ । ଏହି ଅବସରରେ ସାପ ବିଷୟରେ ଜନ ସାଧାରଣଙ୍କ ମନରେ ସୃଷ୍ଟି ହୋଇଥିବା ଭ୍ରାନ୍ତ ଧାରଣା କିପରି ଦୂର କରାଯାଇ ପାରିବ ଏବଂ ସମସ୍ତ ବର୍ଗର ଲୋକଙ୍କ ନିକଟରେ ସାପ ଓ ସାପ କାମୁଡାକୁ ନେଇ ସଚେତନତା ବାର୍ତ୍ତା ପହଞ୍ଚି ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ସେହିପରି ଲୋକଙ୍କ ମଧ୍ୟରେ ଥିବା ଅନ୍ଧ ବିଶ୍ୱାସ ଦୂର କରିବା ସହ ସମସ୍ତେ ସୁରକ୍ଷିତ ଭାବେ କିପରି ସାପକୁ ଉଦ୍ଧାର କରିପାରିବେ ସେ ନେଇ ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ବନ ବିଭାଗର ସହଯୋଗ କ୍ରମେ ଜିଲ୍ଲାରେ ପ୍ରତି ଏକ ମାସରେ ଥରେ ସ୍ଥାନୀୟ ବନ ସୁରକ୍ଷା ସମିତି ସହ ମିଳିତ ଭାବେ ସଚେତନତା କାର୍ଯ୍ୟକ୍ରମ କରିବା ଦ୍ୱାରା ଲୁପ୍ତ ପ୍ରାୟ ସାପ ପ୍ରଜାତିର ସୁରକ୍ଷା କରାଯାଇ ପାରିବ ବୋଲି ବନାଞ୍ଚଳ ଅଧିକାରୀ କହିଥିଲେ । ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ ବହୁ ପ୍ରଜାତିର ସାପ ମିଳୁଥିବା ବେଳେ ତାହାର ସୁରକ୍ଷା ଏବଂ ତାହାକୁ ଲୋକଙ୍କ ନିକଟରେ ପରିଚିତ କରିବା ପାଇଁ ବନ ବିଭାଗ ଏବଂ ସାପ ଉଦ୍ଧାରକାରୀ ମାନେ ମିଳିତ ଭାବେ କାର୍ଯ୍ୟ କଲେ ସମ୍ଭବପର ହୋଇ ପାରିବ ବୋଲି ସମସ୍ତେ ମତ ବ୍ୟକ୍ତ କରିଥିଲେ । ସାପର ପ୍ରକାର ଭେଦ ଏବଂ ସାମୁଦ୍ରିକ ସାପ ଉଦ୍ଧାରକାରି ମାନଙ୍କୁ ଜୁନିଅର ରିସର୍ଚ୍ଚ ଫେଲୋ ଆଶିଷ ଦାସ, ଦିଗବିଜୟ ପଟ୍ଟନାୟକ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ସ୍ବାଧିନ କୁମାର ସାହୁ ସଂଯୋଜନା କରିଥିବା ବେଳେ ବ୍ରହ୍ମପୁର ବନପାଳ ବାବୁ ସେଠୀ ଧନ୍ୟବାଦ୍ ପ୍ରଦାନ କରିଥିଲେ । ସେହିପରି ଟାମଣା ବନପାଳ ରୂପକ ରଞ୍ଜନ ପାତ୍ର, ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ରାଜେଶ ପୃଷ୍ଟି , ସନ୍ଦୀପ ସେଠୀ, ଶ୍ରୀକାନ୍ତ ନାହାକ, ତାରା ପ୍ରସାଦ ଦାସ, ମନୋରଞ୍ଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୨୦ ଜଣ ସର୍ପ ଉଦ୍ଧାରକାରୀ ଏବଂ ବ୍ରହ୍ମପୁର ବନାଞ୍ଚଳର ବହୁ ବନ କର୍ମଚାରୀ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com