ଓଡ଼ିଶା

ଚାଲିଥିଲା ବାଘ ଛାଲ ଡିଲ୍

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ କବ୍‌ଜାରେ ବନ୍ୟାପ୍ରାଣୀ ମାଫିଆ। ଆଜି କୋରାପୁଟ ଜିଲ୍ଲା ରାମଗିରି ଗୁପ୍ତେଶ୍ୱର ଗେଟ୍ ନିକଟରେ ବାଘଛାଲ ବିକ୍ରି ଲାଗି ଡିଲ୍ ବେଳେ ଜଣଙ୍କୁ ଗିରଫ କରିଛି କ୍ରାଇବ୍ରାଞ୍ଚ ପୁଲିସ। ଗିରଫ ଅଭିଯୁକ୍ତ ଜଣକ କୋରାପୁଟ ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଗୌଡ଼ଗୁଡ଼ାର ମନ ଗୌଡ଼। ରାମଗିରି ବନ୍ୟପ୍ରାଣୀ ଫେରେଷ୍ଟ ଅଫିସିଆଲମାନେ ଏହି ଚଢ଼ାଉରେ ସାମିଲ ହୋଇଥିଲେ।

ତାଙ୍କ ଠାରୁ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଅଭିଯୁକ୍ତକୁ ଜୟପୁର ଫରେଷ୍ଟ ଡିଭିଜନ ଅଧୀନରେ ଥିବା ରାମଗିରି ଫରେଷ୍ଟ ଅଫିସକୁ ଅଣାଯାଇ ପଚରାଉଚରା କରାଯାଉଛି। ସେ କେଉଁଠାରୁ ଏହି ବାଘ ଛାଲ ଆଣିଲେ, କିଏ ବାଘ ମାରିଛି, କାହାକୁ ବିକ୍ରି କରିବାକୁ ନେଉଥିଲେ ଏ ସବୁ ନେଇ ବିଭାଗୀୟ ଅଧିକାରୀମାନେ ପଚରାଉଚରା କରୁଛନ୍ତି। ସ୍ଥାନୀୟ ଜଙ୍ଗଲରୁ ଏହି ବାଘକୁ ଶିକାର ପରେ ଛାଲକୁ ବିକ୍ରି ନିମନ୍ତେ ସେ ନେଉଥିବା ସନ୍ଦେହ କରାଯାଉଛି।

ଏହି ବାଘ ଛାଲ ଡିଲ୍‌ରେ ଆନ୍ତଃରାଜ୍ୟ ମାଫିଆଙ୍କ ଲିଙ୍କ ରହିଥିବା ସନ୍ଦେହ କରାଯାଉଛି। ଅବାଧ ବାଘ ଶିକାର ଯୋଗୁ ରାଜ୍ୟରୁ ଧିରେ ଧିରେ ବାଘ ସଂଖ୍ୟା ହ୍ରାସ ହେବାରେ ଲାଗିଛି।

୨୦୨୦ ମସିହାରୁ ସ୍ପେଶାଲ ଡ୍ରାଇଭ୍ କରି କ୍ରାଇମବ୍ରାଞ୍ଚ ଏ ପର୍ଯ୍ୟନ୍ତ ପ୍ରାୟ ୩୦ଟି ବାଘ ଛାଲ ଜବତ କରିବା ସହ ୪୩ ଜଣଙ୍କୁ ଗିରଫ କଲାଣି। ଯାହା ରାଜ୍ୟରେ ରହିଥିବା ଜଙ୍ଗଲମାନଙ୍କରେ ଅବାଧ ବାଘ ଶିକାର ହେଉଥିବା ସୂଚାଇଛି। ବାଘ ସୁରକ୍ଷା ନେଇ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ଏହା ପ୍ରମାଣିତ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com