ଓଡ଼ିଶା

ହର୍ ଘର୍ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କଲେ ବ୍ରହ୍ମପୁର ବିଧାୟକ

ବ୍ରହ୍ମପୁର, ୦୪/୦୮/୨୦୨୨ –   ବ୍ରହ୍ମପୁର ପୁରୁଣା ବସ୍ ଷ୍ଟାଣ୍ଡ ସ୍ଥିତ ମୁଖ୍ୟ ଡାକମଣ୍ଡଳ ଆନୁକୁଲ୍ୟରେ ଆୟୋଜିତ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନକୁ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶୁଭାରମ୍ଭ କରିଛନ୍ତି । ବୁଧବାର ବ୍ରହ୍ମପୁର ପ୍ରଧାନ ଡାକଘର ପ୍ରାଙ୍ଗଣରେ ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢୀଙ୍କ ସଂଯୋଜନାରେ ଆୟୋଜିତ ଏହି ସ୍ଵତନ୍ତ୍ର ଉତ୍ସବରେ ଯୋଗଦେଇ ବିଧାୟକ ବିକ୍ରମ ଡାକ ବିଭାଗ ଦ୍ବାରା ପ୍ରସ୍ତୁତ ସ୍ଵତନ୍ତ୍ର ଜାତୀୟ ପତାକାର ଲୋକାର୍ପଣ କରିଥିଲେ। ଏହି ଅବସରରେ ବରିଷ୍ଠ ଡାକ ଅଧୀକ୍ଷକ ଶ୍ରୀ ପାଢ଼ୀ କହିଥିଲେ ଯେ ଦେଶ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତୀ ପରିପ୍ରେକ୍ଷୀରେ ଡାକ ବିଭାଗରେ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅଧୀନରେ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ସାରା ଦେଶରେ ଚାଲୁ ରହିଛି । ଭାରତ ବର୍ଷରେ ପ୍ରତି ଘରେ ଜାତୀୟ ପତାକା ଉତ୍ତୋଳନ ସହ ଦେଶପ୍ରେମକୁ ପରିବର୍ଦ୍ଧିତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ ହୋଇଛି । ଜାତୀୟ ପତାକା ସହଜରେ ଉପଲବ୍ଧ କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀ ସ୍ଥିତ ଡାକ ନିର୍ଦ୍ଦେଶାଳୟର ନିର୍ଦ୍ଦେଶ କ୍ରମେ ଡାକଘର ମାନଙ୍କରେ ମାତ୍ର ୨୫ ଟଙ୍କା ମୂଲ୍ୟ ବିନିମୟରେ ଜାତୀୟ ପତାକା ଗ୍ରାହକଙ୍କୁ ମିଳି ପାରିବ । ଏହି ଅବସରରେ ବିଧାୟକ ଶ୍ରୀ ପଣ୍ଡା କୌଣସି ପ୍ରତିନିଧିଙ୍କ ପରିବର୍ତ୍ତେ ନିଜେ କାଉଣ୍ଟରକୁ ଯାଇ ଜାତୀୟ ପତାକା ନିଜସ୍ଵ ଖର୍ଚ୍ଚରେ କ୍ରୟ କରିଥିଲେ ଓ ଉପସ୍ଥିତ ଗ୍ରାହକଙ୍କୁ ଜାତୀୟ ପତାକା କ୍ରୟ ସହ ସ୍ଵଗୃହରେ ଟଙ୍ଗେଇବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ସଞ୍ଜିତ ପାଣିଗ୍ରାହୀ, ସହକାରୀ ଡାକ ଅଧୀକ୍ଷକଙ୍କ ମଧ୍ୟରେ ଚକ୍ରଧର ନାୟକ, କିରଣମାଳା ପଣ୍ଡା, ସ୍ମିତା ମହାପାତ୍ର ଏବଂ ବ୍ରହ୍ମପୁର ପ୍ରଧାନ ଡାକପାଳ କାହ୍ନୁ ଚରଣ ସାହୁଙ୍କ ସମେତ ସମସ୍ତ ଡାକ କର୍ମଚାରୀ, ଶତାଧିକ ଗ୍ରାହକ, ପୋଷ୍ଟାଲ୍ ଏଜେଣ୍ଟ ଓ ମେଲ୍ ଓଭରସିୟର୍ ରଜନୀ ପାଢ଼ୀ ସହଯୋଗ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com