ଜାତୀୟ

ସଞ୍ଜୟ ସିଂହ ଭାରତୀୟ କୁସ୍ତି ମହାସଂଘର ସଭାପତି ଭାବେ ନିର୍ବାଚିତ

ଦୀର୍ଘ ଦିନର ବିବାଦ ପରେ ଶେଷରେ ଭାରତୀୟ କୁସ୍ତି ମହାସଂଘ(ଡବ୍ଲ୍ୟୁଏଫ୍‌ଆଇ)ର ନିର୍ବାଚନ ହୋଇଛି। ଭାରତୀୟ ଜନତା ପାର୍ଟି ସାଂସଦ ବ୍ରିଜଭୂଷଣ ସରଣ ସିଂହଙ୍କ ଘନିଷ୍ଠ ସଞ୍ଜୟ ସିଂହ ଭାରତୀୟ କୁସ୍ତି ମହାସଂଘ(ଡବ୍ଲ୍ୟୁଏଫଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ପଦକୁ ନେଇ ସଞ୍ଜୟ ସିଂହ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା କୁସ୍ତିବିତ୍‌ ଅନୀତା ଶିଓରାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଏଥିରେ ସଞ୍ଜୟ ସିଂହ ବାଜି ମାରିଥିଲେ। ସଞ୍ଜୟ ୪୦ଟି ଭୋଟ୍‌ ପାଇଥିବାବେଳେ ଅନୀତାଙ୍କୁ ମାତ୍ର ୭ଟି ଭୋଟ୍‌ ମିଳିଥିଲା।

ନୂତନ ଭାବେ ଡବ୍ଲୁଏଫ୍‌ଆଇର ସଭାପତି ନିର୍ବାଚିତ ହୋଇଥିବା ସଞ୍ଜୟ ୨୦୦୮‌େର ବାରାଣାସୀ କୁସ୍ତି ସଂଘର ଜିଲା ସଭାପତି ରହିଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ଉତ୍ତରପ୍ରଦେଶ କୁସ୍ତି ସଂଘ ଗଠନ ହେଲା ସେତେବେଳେ ବ୍ରିଜଭୂଷଣ ସଭାପତି ଓ ସଞ୍ଜୟ ସିଂହ ଉପ ସଭାପତି ରହିଥିଲେ। ସେହିପରି ୨୦୧୯ରୁ ସଞ୍ଜୟ ଅନ୍ତର୍ଜାତୀୟ କୁସ୍ତି ସଂଘର କାର୍ଯ୍ୟକାରୀ ପରିଷଦ ସଦସ୍ୟ ଓ ୨୦୧୯ରେ ଭାରତୀୟ କୁସ୍ତି ସଂଘର ଯୁଗ୍ମ ସମ୍ପାଦକ ନିର୍ବାଚିତ ହୋଇଥିଲେ।

ନିର୍ବାଚନରେ ସଭାପତି ଭାବେ ନିର୍ବାଚିତ ହେବା ପରେ ସଞ୍ଜୟ ସିଂହ କହିଛନ୍ତି ଯେ,ଆମର ପୁରା ପ୍ୟାନେଲ ଜିତିଛି। ସମସ୍ତେ ଭଲ ସଂଖ୍ୟାଗରିଷ୍ଠତାର ସହିତ ବିଜୟୀ ହୋଇଛନ୍ତିି।ଗତ କିଛି ଦିନ ହେବ କୁସ୍ତି କ୍ଷତିଗ୍ରସ୍ତ ହୋଇଛି। ଆମ ଖେଳାଳିମାନେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଗତ କିଛି ଦିନ ‌େ‌ହବ ମଧ୍ୟ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। କିନ୍ତୁ ଗତ କିଛି ଦିନ ମଧ୍ୟରେ ଯାହା ଘଟିଲା ସେଥିପାଇଁ କୁସ୍ତି କ୍ଷତିଗ୍ରସ୍ତ ହୋଇଛି। ଏବେ କୁସ୍ତିକୁ ପୂର୍ବସ୍ଥିତିକୁ ଫେରାଇ ଆଣିବା ପ୍ରଥମ ଲକ୍ଷ୍ୟ ବୋଲି ସଞ୍ଜୟ କହିଛନ୍ତି।

ସୂଚନାଯୋଗ୍ୟ, ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ସରଣ ସିଂହଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଭାରତୀୟ କୁସ୍ତି ମହାସଂଘକୁ ଭାଙ୍ଗି ଦିଆଯାଇଥିଲା।ଭାରତୀୟ କୁସ୍ତି ମହାସଂଘ ପରିଚାଳନା ନେଇ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଆଡ୍‌ହକ୍‌ କମିଟି ଗଠନ କରାଯାଇଥିଲ। ଯୌନ ଶୋଷଣ ମାମଲାରେ ଅଲିମ୍ପିକ୍‌ସ ପଦକ ବିଜେତା ବଜରଙ୍ଗ ପୁନିଆ, ସାକ୍ଷି ମଲ୍ଲିକ ଓ ବିଶ୍ବ ଚମ୍ପିଆନସିପ୍‌ ପଦକ ବିଜେତା ବିନେଶ ଫୋଗତଙ୍କ ସମେତ ବହୁ ଶ୍ରେଷ୍ଠ କୁସ୍ତିଯୋଦ୍ଧା ବ୍ରିଜଭୂଷଣ ସରଣ ସିଂହଙ୍କ ବିରୁଦ୍ଧରେ ଯନ୍ତରମନ୍ତରରେ ଧାରଣାରେ ବସିଥିଲେ। ଦୀର୍ଘ ଦିନ ଧରି ଏହି ଆନ୍ଦୋଳନ ଚାଲିବା ପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ କ୍ରମେ ଦିଲ୍ଲୀ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ଭାରତୀୟ କୁସ୍ତି ସଂଘର ନିର୍ବାଚନ ପାଇଁ ଭୋଟର ତାଲିକାରେ ଅନିୟମିତତା ହୋଇଥିବାରୁ ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ହୋଇଥିଲା। ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟ ନିର୍ବାଚନ ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରହିତାଦେଶ ଜାରି କରିବା ପରେ ଏହା ପରେ ନିର୍ବାଚନ ‌େ‌ହବା ନେଇ ରାସ୍ତା ପ୍ରଶସ୍ତ ହୋଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com