Breaking NewsFeaturedଓଡ଼ିଶା

ରେଞ୍ଜ ରୋଭର ଦୁର୍ଘଟଣା ପାଇଁ ଦାୟୀ କିଏ ?

ରାଜଧାନୀରେ ଦୁର୍ଘଟଣା ଘଟାଇଥିବା ରେଞ୍ଜ ରୋଭର ଗାଡି କାହାର? ଯେଉଁଥିପାଇଁ ଅକାଳେ ଚାଲିଗଲା ଜଣେ ଯୁବତୀଙ୍କ ଜୀବନ । ତେବେ ଏହି ଗାଡି କିଏ ଚଲାଉଥିଲା । ସେଥିରେ କିଏ ଥିଲେ ? କାହିଁକି ବଦଳାଗଲା ଗାଡିର ନମ୍ବର? ସଠିକ ଢଙ୍ଗରେ ତନାଘନା କରିବାକୁ କାହିଁକି ଡରୁଛି ପୋଲିସ? ଏହା ପଛରେ ରହିଛି କି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ? ଏପରି ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ, ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଗିରଫ କରିବା ପରେ ଏବେ ସାମ୍ନାକୁ ଆସିଛି ଆଉ ଏକ ସାଂଘାତିକ ତଥ୍ୟ । ଏହି ଦୁର୍ଘଟଣା ପଛରେ ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ ହାତ ଥିବା ନେଇ ଚର୍ଚ୍ଚା ଜୋର । ଯାହାକୁ ନେଇ ସାରା ରାଜ୍ୟରେ ପଡିଛି ଚହଳ । କୁହାଯାଉଛି ଏ ଗାଡ଼ିଟି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ନିର୍ଦ୍ଦେଶକ ଥିବା ଏକ ସଂସ୍ଥା ନାଁରେ ଅଛି। ଯାହାକୁ ପୂର୍ବରୁ ବିଶାଳ, ବ୍ୟବହାର କରୁଥିବାର ଚିତ୍ର ବି ସାମ୍ନାକୁ ଆସୁଛି।

ତେଣୁ ପ୍ରେସ ରିଲିଜରେ ଜବତ ଗାଡ଼ିର ପୋଲିସ ଗୋଟିଏ ନମ୍ବର ଦେଇ ପରେ କାହିଁକି ଆଉ ଗୋଟିଏ ନମ୍ବର ଦେଲା ତାକୁ ନେଇ ଉଠିଛି ପ୍ରଶ୍ନ। ଏହାରି ଭିତରେ ଦୁର୍ଘଟଣାରେ ଆହାତ ହୋଇଥିବା ୨ ଗୁରୁତରଙ୍କ ମଧ୍ୟରୁ ଯୁବତୀ ଜଣଙ୍କର ମୃତୁ୍ୟ ଘଟିଛି । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଜୀବନ ଚାଲି ଯାଇଥିବା ଜଣାପଡିଛି । ମୃତ ଯୁବତୀ ହେଲେ ଲୋପାମୁଦ୍ରା ସାହୁ। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋପାମୁଦ୍ରାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ୨ ଦିନ ହେବ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥାରେ କୌଣସି ସୁଧାର ଆସି ନ ଥିବା ବେଳେ ଆଜି ସେ ଆଖି ବୁଜିଛନ୍ତି ।

ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ଅବସରପ୍ରାପ୍ତ ସିଆରପିଏଫ ଯବାନ କାହ୍ନୁଚରଣ ନାୟକ ଏବେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା ବି ସଙ୍କଟାପନ୍ନ ରହିଛି। ଏଠାରେ କହିରଖୁଛୁ ଯେ ଗତ ୩୧ ତାରିଖରେ ଭୁବନେଶ୍ୱରର ପାୱାର ହାଉସ ଛକରେ ଏକ ରେଞ୍ଜ ରୋଭର ଧକ୍କାରେ ବାଇକ୍ରେ ଯାଉଥିବା ୨ ଜଣ ଗୁରୁତର ହୋଇଥିଲେ। ତେଣୁ ଏହି ଦୁର୍ଘଟଣାକୁ ନେଇ ଯେତିକି ଚର୍ଚ୍ଚା ତାଠାରୁ ରେଞ୍ଜ ରୋଭର ଗାଡିର ନମ୍ବରକୁ ନେଇ ଅଧିକ ଚର୍ଚ୍ଚା । କାହିଁକି ଓ କେମିତି ବଦଳିଲା ଗାଡି ନମ୍ବର ତାକୁ ନେଇ ଆଲୋଚନା । ତେବେ ଦୁର୍ଘଟଣା ଘଟିବା ଦିନ ବିଶାଳ ଦାସ ସେହି ଗାଡ଼ିରେ ବସିଥିଲେ କି ନାହିଁ, ଘଟଣା ସଂପର୍କରେ ସେ ଜାଣିଛନ୍ତି କି ନାହିଁ, ତାହା ଜଣାପଡ଼ି ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com